ମମିତା ମର୍ଡର ମିଷ୍ଟ୍ରି: ଆଜି କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁର ଓ ଭଦ୍ରକ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି। ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରି ଆଜି ବିଜେପି ପକ୍ଷରୁ ଅନେକ ସ୍ଥାନରେ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଆଜି କେନ୍ଦ୍ରାପଡା, ବୌଦ୍ଧ, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା, ବୌଦ୍ଧ ଓ ଜଗତସିଂହପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଅନ୍ୟପଟେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛି ବିଜେପି। ଏହାସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ବନ୍ଦର ପ୍ରଭାବରେ ଜିଲ୍ଲାରେ ଦୋକାନ ବଜାର, ଗାଡି ମୋଟର ଚଳାଚଳ ସହ ସରକାରୀ ବେସରକାରୀ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସକାଳୁ ସକାଳୁ ବିଜେପିର କର୍ମକର୍ତ୍ତାମାନେ ବିଭିନ୍ନ ଛକରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ଛକରେ ପାଟ୍ରୋଲିଂ କରାଯାଉଛି।