କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

କଳାହାଣ୍ଡି,ଏନ୍ଏନ୍ଏସ୍: ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୭ ହାତୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରୀୟ ଟିମ ଏହି ଘଟଣାର ତଦନ୍ତ କରିବାରୁ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏନେଇ ଆଜି କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀଙ୍କୁ ନିଲମ୍ବିତ କରାଯାଇଛି।

କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ ପ୍ରାଣୀଧନ ନିରୀକ୍ଷଣ ଅଧିକାରୀ ନିଲମ୍ବନ

ସବୁ ହାତୀ ମୃତ୍ୟୁର କାରଣ ହାମରେଜିକ୍ ସେପଟିସେମିଆ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ଟିମ୍। ତେବେ ଅଭୟାରଣ୍ୟ ଭିତରେ ଏହି ରୋଗ କିପରି ହାତୀକୁ ସଂକ୍ରମିତ ହେଲା ତାକୁ ନେଇ ଅଧିକ ଅନୁଧ୍ୟାନ କରାଯିବ ବୋଲି ବିଶେଷଜ୍ଞ କହିଛନ୍ତି। ଗର୍ଭବତୀ ଥିବା ଗୋଟିଏ ହାତୀକୁ ପ୍ରଥମେ ସଂକ୍ରମଣ ହେବା ପରେ ଏହା ଅନ୍ୟ ଗର୍ଭିଣୀ ହାତୀଙ୍କୁ ବ୍ୟାପିଥିଲା। ଏହି ରୋଗଟି ଗର୍ଭବତୀ ହାତୀ ଠାରେ ସହଜରେ ବ୍ୟାପିଥାଏ ବୋଲି ପ୍ରାଣୀ ସମ୍ପଦ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି।

କର୍ତ୍ତବ୍ୟରେ ଅବହେଳା ପାଇଁ ଗଣେଶ ପୂଜାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ। ଅପରପକ୍ଷେ ହାତୀ ମୃତ୍ୟୁର ତଦନ୍ତ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ମଧ୍ୟ ଅଭୟାରଣ୍ୟରେ ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି।