ଶ୍ରୀକାନ୍ତଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଅର୍ଥ ଓ ଜମି ଉପହାର

ଅମରାବତୀ,ଏଜେନ୍ସି: ଦେଶର ପ୍ରଥମ ପୁରୁଷ ଶଟ୍‌ଲର୍ ଭାବେ ସ୍ପେନ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ରେ ରୌପ୍ୟ ପଦକ ଜିତିଥିବା କିଦାମ୍ବୀ ଶ୍ରୀକାନ୍ତଙ୍କୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ ବୁଧବାର ସମ୍ବର୍ନ୍ଧିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀକାନ୍ତଙ୍କ ପାଇଁ ୭ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ସହ ବ୍ୟାଡ୍‌ମିଣ୍ଟନ୍ ଏକାଡେମୀ ଖୋଲିବା ପାଇଁ ତିରୁପତିରେ ୫ ଏକର ଜମି ଦେବାକୁ ଘୋଷଣା କରିଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।

ରାଜ୍ୟ ସରକାରରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ କ୍ୟାମ୍ପ୍ ଅଫିସ୍‌ରେ ବୁଧବାର ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାକ୍ଷାତ ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଥିବା ନେଇ ଶ୍ରୀକାନ୍ତ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ପାଇଁ ଏକ ଜମି ଆବଣ୍ଟିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀକାନ୍ତ ଧନ୍ୟବାଦ ଜଣାଇବା ସହ ସେଠାରେ ଏକ ବିଶ୍ୱସ୍ତରୀୟ ବ୍ୟାଡ୍‌ମିଣ୍ଟନ୍ ଏକାଡେମୀ ପ୍ରତିଷ୍ଠା କରିବେ ବୋଲି କହିଛନ୍ତି। ରାଜ୍ୟ ସରକାର କ୍ରୀଡ଼ାବିତ୍‌ଙ୍କ ସ୍ୱତନ୍ତ୍ର ଯତ୍ନ ନେଉ ଥିବାରୁ ସେ ଖୁସି ପ୍ରକାଶ କରିବା ସହ ଏହା ତାଙ୍କୁ ଭବିଷ୍ୟତରେ ଅଧିକ ଟୁର୍ଣ୍ଣାମେଣ୍ଟ୍ ଜିତି ଦେଶ ତଥରା ରାଜ୍ୟ ପାଇଁ ଗୌରବ ଆଣିବାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।