ଭୁବନେଶ୍ୱର,ଏନ୍ଏନ୍ଏସ୍: ଅବସର ପ୍ରାପ୍ତ ବରିଷ୍ଠ କର୍ମଚାରୀମାନେ ନିଜ ପେନସନ୍ ପାଇଁ ଆଉ କୌଣସି ସରକାରୀ ଦପ୍ତରକୁ ଦୌଡ଼ିବାକୁ ପଡ଼ିବନାହିଁ। ନିଜର ମୋବାଇଲ୍ ଫୋନ୍ ଜରିଆରେ ସେମାନେ ପ୍ରମାଣପତ୍ର ଓ ଲାଇପ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ‘ଇ-ଗଭର୍ଣ୍ଣମେଣ୍ଟ ଡାଏରୀର’କୁ ଲୋକାର୍ପିତ କରିଛନ୍ତି।
ଦେଶରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବୁଧବାର ଲୋକସେବା ଭବନରେ ଭର୍ଚୁଆଲ୍ ମୋଡ୍ରେ ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ବ୍ୟବସ୍ଥାର ଶୁଭାରମ୍ଭ କରି ପେନସନଧାରୀ ବେଶ୍ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ୫-ଟି କାର୍ଯ୍ୟକ୍ରମ ଅଧିନରେ ଏହା କାର୍ଯ୍ୟକରିବ। ନୂଆ ବ୍ୟବସ୍ଥାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଭିଡିଓ ଓ ଫଟୋ ସଂଶୋଧନ ପ୍ରକ୍ରିୟାରେ ପେନ୍ସନରମାନେ ସେମାନଙ୍କ ଚିହ୍ନଟ ପ୍ରମାଣପତ୍ର ଓ ଲାଇପ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ। ପେନ୍ସନ୍ ଭୋଗୀମାନେ କୌଣସି ସରକାରୀ ଦପ୍ତରକୁ ନଯାଇ ନିଜ ନିଜର ମୋବାଇଲ୍ ଫୋନ୍ ବ୍ୟବହାର କରି ପ୍ରମାଣପତ୍ର ଓ ଲାଇପ୍ ସାର୍ଟିଫିକେଟ୍ ଦାଖଲ କରିପାରିବେ। ଫଳରେ ଏହି ନୂତନ ବ୍ୟବସ୍ଥା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭପ୍ରଦ ହେବ। ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ‘ମୋ ସେବା କେନ୍ଦ୍ର’ଗୁଡ଼ିକରେ ଏହି ସୁବିଧା ମଧ୍ୟ ଉପଲବ୍ଧ ହେବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସରକାରୀ ଇ-ଡାଏରୀରେ ନାଗରିକମାନେ କେବଳ ନିଜର ମୋବାଇଲ୍ ଫୋନ୍ ନୁହେଁ, ଟାବ୍ଲେଟ୍ କିମ୍ବା କୌଣସି କମ୍ପ୍ୟୁଟର ବ୍ୟବହାର କରି ସମସ୍ତ ତଥ୍ୟ ତୁରନ୍ତ ଓ ସହଜ ଉପାୟରେ ପାଇପାରିବେ। ଏହାଦ୍ୱାରା ସ୍ୱଚ୍ଛତା ଓ ନିରପେକ୍ଷତା ରହିବ। ସ୍ୱଳ୍ପ ସମୟରେ ବି ଲୋକେ ଉଚିତ୍ ସେବା ପାଇାବେ ବୋଲି ସେ କହିଥିଲେ।
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁଦାମ ମାରାଣ୍ଡି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଥିଲେ। ଏହି ଅବସରରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।