କୋଟିଆରେ ଆନ୍ଧ୍ର ବିଧାୟକଙ୍କ ପ୍ରବେଶକୁ ବିରୋଧ, କାର୍ଯ୍ୟକ୍ରମ ବାତିଲ

କୋରାପୁଟ,ଏନ୍ଏନ୍ଏସ୍: କୋଟିଆରେ ହେବାକୁ ଥିବା ଆନ୍ଧ୍ର ବିଧାୟକଙ୍କ କାର୍ଯ୍ୟକ୍ରମକୁ ବିରୋଧ କରାଯାଇଛି। ଏହାସହ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି। କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଠାରେ ଆଜି ଆନ୍ଧ୍ରର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏଥିରେ ପାର୍ବତିପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମସ୍ଥଳୀକୁ ଆନ୍ଧ୍ରପ୍ରଦେଶର କୌଣସି ବ୍ୟକ୍ତିଙ୍କୁ ପ୍ରବେଶ କରିବାକୁ ଦେଇନାହିଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ।

ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗାଁ ମଧ୍ୟରେ ଥିବା ରାସ୍ତାକୁ ପୁଲିସ ଦ୍ୱାରା ବ୍ୟାରିକେଡ ଯୋଗେ ଅବରୋଧ କରାଯାଇଥିଲା। ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦଙ୍କ ସହ କୋଟିଆ ସଂଗଠନର ସଦସ୍ୟ ଉପସ୍ଥିତ ରହି ସ୍ଥିତିର ତଦାରଖ କରିଥିଲେ। କୋଟିଆ ପଞ୍ଚାୟତର ୨୧ଟି ଗାଁ ଉପରେ ଅଧିକାରକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ବିଗତ ଦିନରେ ଫାଟୁସିନେରୀକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ନିର୍ବାଚନ ମଧ୍ୟ କରାଇଛି।