ଆସନ୍ତା ୨୦ରେ ମାଲକାନଗିରି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୦ରେ ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼ର ଦ୍ଵିତୀୟ ଲହର ପରେ ପ୍ରଥମ ଥର ଜିଲ୍ଲା ଗସ୍ତରେ ଯିବେ ନବୀନ। ଦିନିକିଆ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଏହା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ, ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ଗମନାଗମନ, ସ୍ୱାସ୍ଥ୍ୟ, ପାନୀୟଜଳ, ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ପଞ୍ଚାୟତି ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ଏନେଇ ପ୍ରସ୍ତୁତି ଜୋରଦାର କରିଛି ବିଜୁ ଜନତା ଦଳ। ଗସ୍ତରୁ ନିର୍ବାଚନ ଲାଗି ଏକପ୍ରକାର ପ୍ରଚାର ଆରମ୍ଭ କରିବ ଦଳ। ଅନ୍ୟ ପଟେ ୧୯ ତାରିଖରୁ ବିଜେପିର ଆଶୀର୍ବାଦ ଯାତ୍ରା ଆରମ୍ଭ ହେଇଯାଇଛି। ଏନେଇ ରାଜ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସହିତ ମିଶିବା ସହ ସଭା ମଧ୍ୟ କରିବେ। ଏହାକୁ କାଉଣ୍ଟର କରିବା ଲାଗି ମୁଖ୍ୟମନ୍ତ୍ରୀ ମାଲକାନଗିରି ଗସ୍ତ କରୁଥିବା କୁହାଯାଉଛି।