ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବସିବ ସର୍ବଦଳୀୟ ବୈଠକ; ଚୀନକୁ କିପରି ଜବାବ ଦିଆଯିବ ସେନେଇ ହେବ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ଚୀନ ସୀମା ସଂଘର୍ଷ ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସବୁ ଦଳର ମୁଖ୍ୟଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ତେବେ ବର୍ତ୍ତମାନ ସୀମାରେ ଉପୁଜିଥିବା ଏହି ସଂଘର୍ଷରେ ସରକାରଙ୍କ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚୀନର ଏଭଳି ହରକତକୁ ଚେତାବନୀ ଦେଇଥିଲେ ଯେ ଆମେ ଶାନ୍ତି ଚାହୁଁ, କିନ୍ତୁ ଉସୁକାଇଲେ ଆମେ ମଧ୍ୟ ଯବାବ ଦେବାର କ୍ଷମତା ରଖିଥିବା କହିଥିଲେ। ଅନ୍ୟପଟେ ବିରୋଧୀ କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କୁ ଚୀନର ଏଭଳି ହରକତ ଉପରେ ନିଷ୍ପତ୍ତି ନେବାରେ ସହଯୋଗ କରିବ ବୋଲି କହିଛି।

ସୂଚନା ଅନୁସାରେ ଜୁନ୍ ୧୫ ତାରିଖରେ ଲଦାଖର ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସୀମା ସମ୍ବନ୍ଧରେ ଆଲୋଚନା ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଥିଲା। ଯେଉଁଥିରେ ଚୀନ ପ୍ରଥମେ ଭାରତ ଉପରକୁ ଲୁହା ରଡ ଓ ଢେଲା ପଥର ମାଧ୍ୟମରେ ଆକ୍ରମଣ଼ କରିଥିଲା। ଏଥିରେ ଭାରତର ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଯବାନ ସହିଦ ହୋଇଥିଲେ।