ସୀମାରେ ଉତ୍ତେଜନା ହ୍ରାସ ପାଇଁ ମେଜର ଜେନେରାଲ ସ୍ତରୀୟ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଚୀନ ମଧ୍ୟରେ ଉପୁଜିଥିବା ସଂଘର୍ଷକୁ ହ୍ରାସ କରିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ଏନେଇ ଗତକାଲି ୬ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ଦେଶର ମେଜର ଜେନେରାଲ ସ୍ଥରୀୟ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଗତ ୧୫ ତାରିଖରେ ଲଦାଖ ଗାଲୱାନ ଭ୍ୟାଲିରେ ହୋଇଥିବା ଭାରତ-ଚୀନ ମଧ୍ୟରେ ଉପୁଜିଥିବା ଉତ୍ତେଜନାକୁ ନିୟନ୍ତ୍ରଣ କରି ଶାନ୍ତି ରକ୍ଷା କରିବାକୁ ଏହି ବୈଠକରେ ଆଲୋଚନା ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ ସୀମାରେ ସୃଷ୍ଟି ହୋଇଥିବା ସଂଘର୍ଷରେ ଚୀନ ଭାରତକୁ ଦାୟି କରିଥିବା ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୟାନ ଦିଆଯିବା ପରେ ଭାରତ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର କହିବା ଅନୁସାରେ ଭାରତ ସୀମାରେ ଚୀନ ସେନା ପ୍ରବେଶ କରି ସୁପରିକଳ୍ପିତ ଯୋଜନାରେ ଭାରତ ସେନା ଉପରକୁ ଆକ୍ରମଣ କରିଥିଲେ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ଏହାକୁ ତୁରନ୍ତ ସମାଧାନ କରାଯିବା ଆବଶ୍ୟକ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ଭାରତ ପ୍ରତିଶୃତି ବଦ୍ଧ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।