ଶାହଙ୍କ ଉଚ୍ଚସ୍ତରୀୟ ବୈଠକ, ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ସୀମାବର୍ତ୍ତୀ ସୁରକ୍ଷା ଏଜେନ୍ସିର ପ୍ରମୁଖ ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଶାହ ନିର୍ଦ୍ଦେଶ ଦେଇଛନ୍ତି । ସୀମାରେ ପାଟ୍ରୋଲିଂକୁ ବଢାଇବା ସହିତ ବେଆଇନ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶାହ ।

ଶାହ ବର୍ଡର ସିକ୍ୟୁରିଟି ଫୋର୍ସର (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ, ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି) ଓ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି), ଭାରତ-ବାଂଲାଦେଶ ସୁରକ୍ଷାକର୍ମୀ, ଭାରତ-ନେପାଳ ସୀମାର ସୁରକ୍ଷାକର୍ମୀଙ୍କ ସହିତ ବୈଠକ କରିଛନ୍ତି । ବୈଠକରେ ଅନୁପ୍ରବେଶ, ନକଲି ପରିଚୟ, ନକଲି ଭାରତୀୟ ମୁଦ୍ରା ନୋଟ ଏବଂ ଡ୍ରଗ୍ସ ଚୋରା ଚାଲାଣ ଭଳି ଅପରାଧିକ କାର୍ଯ୍ୟ ଉପରେ ଗୁରୁତ୍ବାରୋପ କରାଯାଇଥିଲା । ଏହାସହିତ ସୀମାର ସୁରକ୍ଷା ଏଜେନ୍ସିକୁ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨ ଦିନିଆ ବିହାର ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଶାହ ସୀମାର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି । ସେ ଶନିବାର ଫତେପୁର, ପେକତୋଲା, ବେରିଆ ଓ ରାଇଗଞ୍ଜରେ ୪ଟି ସୀମା ନିରୀକ୍ଷଣ ପୋଷ୍ଟର ଉଦଘାଟନ କରିଛନ୍ତି । ଭାରତ ଓ ନେପାଳର ସୀମା ଖୋଲାଥିବାରୁ ସୀମାର ସୁରକ୍ଷା ବାହିନୀ ପାଇଁ ଏହା ଏକ ପ୍ରମୁଖ ଆହ୍ବାନ ବୋଲି ସ୍ବୀକାର କରିଛନ୍ତି ଶାହ ।

ଏଥିଲାଗି ସୁରକ୍ଷା ଏଜେନ୍ସିକୁ ସୀମାରେ ସଜାଗ ରହିବାକୁ ଏବଂ ଡ୍ରୋନ୍ ଓ ସିସିଟିଭି ସମେତ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଶାହ ପରାମର୍ଶ ଦେଇଛନ୍ତି । ଭାରତ ଓ ବାଂଲାଦେଶ ପରସ୍ପର ସହିତ ୪,୦୯୬ କି.ମି ସୀମାବର୍ତ୍ତୀ ସ୍ଥାନ ଅଂଶୀଦାର କରୁଥିବାବେଳେ, ନେପାଳ ସହିତ ଦେଶ ମୋଟ ୧,୭୭୦ କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ସେୟାର କରୁଛି ।