ନିଖୋଜ ପୁତୁରାକୁ ହତ୍ୟା କରାଯାଇଥିବା ଅଭିଯୋଗ, ନିରପେକ୍ଷ ତଦନ୍ତ ପାଇଁ ଏସପିଙ୍କ ଦ୍ୱାରସ୍ଥ ହେଲେ ବଡ଼ବାପା

କୋରାପୁଟ,ଏନ୍ଏନ୍ଏସ୍: ଦାମନଯୋଡ଼ି ଥାନା ମାଥାଲପୁଟ ନିକଟ ଅଁଳାବାଡ଼ି କଲୋନୀରୁ ନିଖୋଜ ଥିବା ପୁତୁରାକୁ ହତ୍ୟା କରାଯାଇଥିବା ନେଇ ବଡ଼ବାପା ବ୍ରଜନନ୍ଦ ନାଗ ଅଭିଯୋଗ ଆଣିଛନ୍ତି। ଏଥିସହିତ ଉକ୍ତ ମାମଲାର ନିରପେକ୍ଷ ତଦନ୍ତ କରିବାକୁ ବଡ଼ବାପା ବଏସପିଙ୍କ ନିକଟରେ ଗୁହାରୀ କରିଛନ୍ତି। ବ୍ରଜନନ୍ଦ ନାଗଙ୍କ ଅଭିଯୋଗ ଅନୁଯାୟୀ, ଅଁଳାବାଡ଼ି କଲୋନୀର ସ୍ୱର୍ଗତ ବିଜୟ ମୁଦୁଲିଙ୍କ ପୁଅ ନରେନ୍ଦ୍ର ମୁଦୁଲି(୩୨) ଗତ ୩ ତାରିଖ ସଂନ୍ଧ୍ୟାରୁ କେଉଁଆଡ଼େ ଚାଲି ଯାଇଛନ୍ତି। ନରେନ୍ଦ୍ର ନିଖୋଜ ଥିବା ଖବର ଗତ ୭ତାରିଖରେ ତାଙ୍କ ଭଉଣୀ ପ୍ରଫୁଲ୍ଲ ଖେମୁଣ୍ଡୁଙ୍କଠାରୁ ପାଇବା ପରେ ସେ ନରେନ୍ଦ୍ରର ସାନ ଭଉଣୀ ପୁଷ୍ପାଞ୍ଜଳୀକୁ ଫୋନ୍ କରି ପଚାରିଥିଲେ। ନରେନ୍ଦ୍ର ନିଖୋଜ ଥିବା ନେଇ ପୁଷ୍ପାଞ୍ଜଳୀ ସ୍ୱୀକାର କରିବା ସହ ସେ ୮ତାରିଖରେ ଦାମନଯୋଡ଼ି ଥାନାରେ ଅଭିଯୋଗ କରିଥିବା କହିଥିଲେ। ତେବେ ବାପା ମା’ଙ୍କ ଏକମାତ୍ର ପୁଅ ନରେନ୍ଦ୍ରର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଭଉଣୀ ପୁଷ୍ପାଞ୍ଜଳୀ ଓ ଭିଣୋଇ ଉମାକାନ୍ତ ସାହାଣୀ ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରିଥିବା ନରେନ୍ଦ୍ରର ବଡ଼ବାପା ବ୍ରଜ ନାଗ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନରେନ୍ଦ୍ରକୁ ୩ ତାରିଖ ସଂନ୍ଧ୍ୟାରେ ନିଜେ ଉମାକାନ୍ତ ଅଁଳାବାଡ଼ି କଲୋନୀକୁ କାରରେ ଯାଇ ସେମିଲିଗୁଡ଼ା ଆଣିଥିଲେ। ଅନ୍ୟପଟେ ନରେନ୍ଦ୍ରର ମୋବାଇଲ୍ ଫୋନକୁ ଗତ ୩ ତାରିଖ ରାତି ୯ଟା ୩ମିନିଟରେ ଶେଷ କଲ୍ ଆସିଥିବା ଓ ତା’ପରେ ଫୋନ୍ ସୁଇଚ୍ ଅଫ୍ ରହିିଥିବା ଜଣାପଡ଼ିଛି।