ବଢ଼ିଚାଲିଛି ନବୀନଙ୍କ ଲୋକପ୍ରିୟତା: ଟ୍ୱିଟର ଅନୁଗାମୀ ୧ ମିଲିୟନ ପାର୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାତ୍ୟାର ସଫଳ ମୁକାବିଲା, ମହିଳାଙ୍କ ପାଇଁ ମିଶନ ଶକ୍ତି, ଭାରତୀୟ ହକି ଦଳପାଇଁ ପ୍ରୋତ୍ସାହନ ଏବଂ ଭିତ୍ତିଭୂମି, ଖେଳାଳିଙ୍କ ପାଇଁ ସାରା ରାଜ୍ୟରେ ଇନ୍‌ଡୋର ଷ୍ଟାଡିୟମ୍ ନିଷ୍ପତ୍ତି, ପୁରୀରେ ଦେଶର ପ୍ରଥମ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ’ ଏହିପରି ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସାରା ଦେଶରେ ବିଭିନ୍ନ ସମୟରେ ଚର୍ଚ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରେ ବର୍ତ୍ତମାନ ଅନୁଗାମୀଙ୍କ ସଂଖ୍ୟା ୩.୨ ମିଲିୟନ ଅର୍ଥାତ୍ ୩୨ ଲକ୍ଷ ରହିଛି। ସେହିଭଳି ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ଅନୁଗାମୀ ସଂଖ୍ୟା ୧ ମିଲିୟନ ଅର୍ଥାତ୍ ୧୦ ଲକ୍ଷ ଛୁଇଁଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି।

ବିଶେଷ କରି ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିବା ଏବଂ ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିବା ଦ୍ୱାରା ସମଗ୍ର ଦେଶବାସୀଙ୍କ ଫୋକସ ହକି ଉପରେ କେନ୍ଦ୍ରୀଭୂତ ହୋଇଛି। ଓଡ଼ିଶା ୨୦୧୮ ମସିହାରୁ ଉଭୟ ଦଳର ପ୍ରାୟୋଜକ ରହି ଆସିଥିବାରୁ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନକୁ ମଧ୍ୟ ଦେଶବାସୀ ସ୍ୱୀକାର କରିଛନ୍ତି। ଦେଶର ସଂସଦରେ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଶଂସା କରାଯାଇଛି। ହକି ଫେଡେରେସନ ଠାରୁ ଆରମ୍ଭ କରି ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ରାଜ୍ୟ ସରକାରଙ୍କ ସହଯୋଗ ଏବଂ ଓଡ଼ିଶାରେ ହକି ପାଇଁ ଥିବା ବିଶ୍ୱସ୍ତରୀୟ ଭିତ୍ତିଭୂମି ଲାଗି ମୁଖ୍ୟମନ୍ତ୍ରୀଙ୍କ ଆଗରେ ମଥାନତ କରିଛନ୍ତି। ଯାହାକି ସାରା ଦେଶରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନକୁ ଉଚ୍ଚା କରିଛି, ମର୍ଯ୍ୟାଦା ବଢ଼ାଇଛି।

ଲଗାତାର ୫ ପାଳିର ମୁଖ୍ୟମନ୍ତ୍ରୀ ତାଙ୍କର ରାଜନୈତିକ ଗୋଟି ଚାଳନାର ପରିଚୟ ଦେଉଥିବା ବେଳେ ଲୋକାଭିମୁଖୀ ଯୋଜନା ଏବଂ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ତାଙ୍କର ସଫଳ ପ୍ରଶାସନିକ କାର୍ଯ୍ୟଶୈଳୀର ବାର୍ତ୍ତାବହ ସାଜିଛି। ବିରୋଧୀଙ୍କୁ ସମାଲୋଚନା ନକରି, କାହା ବିରୁଦ୍ଧରେ କୌଣସି ବିବାଦୀୟ ବୟାନ ନଦେଇ ବି ଜଣେ ସଫଳ ରାଜନେତା ହୋଇପାରିବେ ତାହା ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରମାଣିତ କରିଛନ୍ତି। କଥା କମ୍ କାମ ବେଶୀ ତାଙ୍କ ବ୍ୟକ୍ତିତ୍ୱର ବଡ଼ ନିଦର୍ଶନ ରହିଆସିଛି। ଏଣୁ ଦେଶବ୍ୟାପୀ ବହୁ ଯୁବପିଢ଼ି ଆଜି ତାଙ୍କୁ ପ୍ରେରଣା ଭାବେ ଗ୍ରହଣ କରିଛନ୍ତି।