ସ୍ଥାନୀୟ ନିଯୁକ୍ତି ଦାବିରେ ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଧାରଣା

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ସ୍ଥାନୀୟ ନିଯୁକ୍ତି ଦାବିରେ ଆଜି ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଲଖନପୁର ଖଣିଖେତ୍ର ପ୍ରୋଜେକ୍ଟ ଅଫିସ(ପିଓ) ସମ୍ମୁଖରେ ଧାରଣା ଦିଆଯାଇଛି। ସଙ୍ଘ ପକ୍ଷରୁ ପ୍ରୋଜେକ୍ଟ ଅଫିସରଙ୍କ ଜରିଆରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଝାରସୁଗୁଡା ଏକ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା ହୋଇଥିଲେ ହେଁ ସ୍ଥାନୀୟ ନିଯୁକ୍ତି ଅଭାବରୁ ଏଠାକାର ଯୁବକ ଯୁବତୀ ବେରୋଜଗାର ହୋଇ ରହୁଛନ୍ତି । ଏହି ଯୁବକ ଯୁବତୀଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦ କାର୍ଯ୍ୟାଳୟରେ ୧ ମାସ ମଧ୍ୟରେ ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ଗୋଟିଏ ଲେଖାଏଁ ଅଫିସ ଖୋଲି ଜିଲ୍ଲାର ସମସ୍ତ ବେକାର ଯୁବକଯୁବତୀଙ୍କ ରେଜିଷ୍ଟ୍ରେସନ କରାଯାଉ।

ଏହାପରେ ସମସ୍ତଙ୍କୁ ଅଥବା ଅନୁନ୍ୟ ୮୦ ପ୍ରତିଶତ ବେକାର ଯୁବକ ଯୁବତୀଙ୍କୁ ଚାକିରି ପ୍ରଦାନ କରାଯାଉ ବୋଲି ଅଖିଳ ଭାରତୀୟ ଯୁବ ସଙ୍ଘପକ୍ଷରୁ ଦାବି କରାଯାଇଛି। ଏହି ଦାବିପୂରଣ ହେବାଯାଏଁ ଜିଲ୍ଲାର ବିଭିନ୍ନ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତି ରବିବାର ସକାଳ ୧୦ଟାରୁ ୧୨ଟା ଯାଏଁ ଅଖିଳ ଭାରତୀୟ ଯୁବ ସଙ୍ଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ସଙ୍ଘର ସଭାପତି ରମାକାନ୍ତ ସା, ରମେଶ ତ୍ରୀପାଠି, ମାନସ ପ୍ରଧାନ, ମିନି ଦାସ, ଗୋବର୍ଦ୍ଧନ ବାନି, ନିରାକାର ଭୋଇ, ସୁଦର୍ଶନ ରାଉତ, ତ୍ରିଲୋଚନ ଭୋଇ ପ୍ରମୁଖଙ୍କ ଯୁବ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ।