ଲକଡାଉନ ସଟଡାଉନ ସମୟରେ ଗରିବ ଅସହାୟଙ୍କୁ ଦେବଗଡ଼ ପୌରପରିଷଦ ଯୋଗାଉଛି ଆହାର

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସାରା ରାଜ୍ୟରେ ପାକ୍ଷିକ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି। ଏହି କ୍ରମରେ ଦେବଗଡ଼ ଜିଲ୍ଲାରେ ମଧ୍ୟ ସରକାରଙ୍କ ଏହି ନିଷ୍ପତିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡାକଡି ଭାବେ ପାଳନ କରାଯାଉଛି। ଲକଡାଉନ ସଟଡାଉନ ପ୍ରଭାବରେ ସାରା ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଜୀବନ ଜୀବିକା ପାଇଁ ଦିନ ମଜୁରିଆଙ୍କୁ କାର୍ଯ୍ୟ କ୍ଷେତ୍ର ଯିବାକୁ ଅନୁମତି ରହିଛି।

ଏହି ବନ୍ଦ ବେଳେ ଦେବଗଡ଼ ପୌରାଞ୍ଚଳରେ ଥିବା ଅସହାୟ, ମାନସିକ ଭିନ୍ନକ୍ଷମ ଓ ଗରିବ ଶ୍ରେଣୀର ଜନସାଧାରଣ ଖାଦ୍ୟ ପାଇଁ ଉପାୟ ଶୂନ୍ୟ ହୋଇ ପଡ଼ିଥିବାବେଳେ ଦେବଗଡ଼ ପୌରପରିଷଦ ଏମାନଙ୍କ ପାଇଁ ସାହା ହୋଇଛି। ପୌରାଞ୍ଚଳରେ ଯେପରି କୌଣସି ଲୋକ ଭୋକିଲା ନରହିବେ ସେଥିପାଇଁ ଦେବଗଡ଼ ପୌର ପ୍ରଶାସକ ତଥା ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ନିର୍ଦ୍ଦେଶରେ ପୌରପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସିଏମଏମ ଅଭିଷେକ ମିଶ୍ର ପୌରାଞ୍ଚଳର ବିଭିନ୍ନ ୱାର୍ଡ ଅଂଚଳରେ ରହୁଥିବା ଗରିବ ଅସହାୟ ଓ ମାନସିକ ଭିନ୍ନକ୍ଷମଙ୍କୁ ଚିହ୍ନଟ କରି ସେମାନେ ରହୁଥିବା ସ୍ଥାନ ମାନଙ୍କୁ ଯାଇ ଗରମ ରନ୍ଧା ଖାଦ୍ୟ ଯୋଗାଉଥିବା ଦେଖିବାକୁ ମିଳିଛି।

ଆହାର କେନ୍ଦ୍ରରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟକୁ ଆହାର କେନ୍ଦ୍ରର ବ୍ୟାଟେରୀ ଚାଳିତ ଗାଡିରେ ପ୍ରତ୍ୟେକ ଅଞ୍ଚଳରେ ବୁଲି ଚିହ୍ନଟ ହେଉଥିବା ଭୋକିଲା ଲୋକଙ୍କୁ ଦୁଇଓଳି ଆହାର ପ୍ରଦାନ କରାଯାଉଛି। ପୌରପରିଷଦର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।