କରୋନା ସ୍ଥିତି ନେଇ ମୋଦୀଙ୍କ ସହ ଆଲୋଚନା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନଥିବା ବେଳେ ଜାରି ରହିଛି ମହାମାରୀ ବିରୋଧରେ ଲଢେଇ। ଏହାରି ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ରାଜ୍ୟର ସ୍ଥିତି ସମ୍ପର୍କରେ ଶନିବାର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।

ବର୍ତ୍ତମାନ ମଧ୍ୟପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଇବା ସହିତ ବଢିଚାଲିଛି ଆରୋଗ୍ୟଙ୍କ ସଂଖ୍ୟା। ପ୍ରଶାସନ ଓ ରାଜ୍ୟବାସୀ ମହାମାରୀ ବିରୋଧରେ ଲଢିବା ପରେ ରାଜ୍ୟରେ ହ୍ରାସ ପାଇଛି ସଂକ୍ରମଣ। ଏହାସହିତ ମୁଖ୍ୟମନ୍ତ୍ରୀ ଚୌହାନ ରାଜ୍ୟରେ ମହାମାରୀ ବିରୋଧରେ ନିଆଯାଉଥିବା ଅଭିନବ ପଦକ୍ଷେପ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିବା ନିଜ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ରାଜ୍ୟବାସୀଙ୍କୁ କରୋନା ମହାମାରୀ ବିରୋଧରେ ଲଢିବା ପାଇଁ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।

ଏହାସହିତ କୋରୋନା ସ୍ୱେଚ୍ଛାସେବୀ, ସଂଗରୋଧ କେନ୍ଦ୍ର, କୋଭିଡ କେୟାର, ଅସ୍ଥାୟୀ କୋଭିଡ ହସ୍ପିଟାଲ ଆଦିଙ୍କ ସଂଖ୍ୟା ବଢାଇବା ସହିତ ଜନତା କର୍ଫ୍ୟୁ ଓ ଜନସଚେତନା ଭଳି କାର୍ଯ୍ୟକ୍ରମ ବହୁଳ ଭାବରେ କରାଯାଉଛି। ରାଜ୍ୟରେ ରେମଡେସିଭିର ଇଞ୍ଜେକ୍ସନ, ଅକ୍ସିଜେନ ଆଦିର ଉପଲବ୍ଧତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।