ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ପ୍ରତିବାଦରେ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଡ. ଲେଙ୍କା କହିଥିଲେ ଯେ ବର୍ତ୍ତମାନ ସମଗ୍ର ଦେଶ, ରାଜ୍ୟ କରୋନା ମହାମାରୀ ସହିତ ଲଢ଼େଇ କରୁଥିବା ବେଳେ ଜୀବନଜୀବିକା ସହ ସଂଘର୍ଷ ଚାଲିଛି।

ଏହି ପରି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍ ବୃଦ୍ଧି ଘଟିବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଚ୍ଛେ ଦିନ୍ ଓ ନବୀନଙ୍କ ବିଜୁବାବୁଙ୍କ ସ୍ୱପ୍ନ ରାଜ୍ୟରେ ତଥା ଦେଶରେ ଅନିୟନ୍ତ୍ରିତ ଦରଦାମର ପ୍ରକଟିତ ହୋଇଛି। ଉଭୟ ସରକାର ଏ ବ୍ୟବସ୍ଥାର ସୁଧାର ପାଇଁ ଆଦୌ ଚିନ୍ତା କରୁନାହାନ୍ତି। ଦୁଃଖର ବିଷୟ ଏହିକି ଯେ ଦରଦାମ୍ ବୃଦ୍ଧିକୁ ନେଇ ଏକ ନିର୍ଦ୍ଦିଷ୍ଟ ଯୋଜନା କରିବା ପରିବର୍ତ୍ତେ ଦୋଷ କାହାର ବୋଲି କାଦୁଅ ଫୋପଡା ଫୋପଡି ହେଉଛନ୍ତି। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅତି ଦାୟିତ୍ୱହୀନ ଭାବେ ମନ୍ତବ୍ୟ ଦେଉଛନ୍ତି ‘ନିକଟରେ ପିଆଜ ଦର କମିବାର ନାହିଁ’। ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଉଥିବା ବେଳେ ରାଜ୍ୟରେ କୃଷକ ଆତ୍ମହତ୍ୟା କରୁଛନ୍ତି ଏବଂ ପନିପରିବା ଦର ଆକାଶଛୁଆ ହୋଇଛି।

ଗୋଟିଏ ପଟେ ବିଜେଡି ଦଳ କେନ୍ଦ୍ର କୃଷି ବିଲକୁ ସମର୍ଥନ ଦେଇଥିବା ବେଳେ ରାଜ୍ୟ ଯୋଗାଣମନ୍ତ୍ରୀ କହୁଛନ୍ତି ଆଜିର ପନିପରିବା ଦର ବୃଦ୍ଧି କେନ୍ଦ୍ର କୃଷି ବିଲର ପ୍ରତିଫଳନ। ଏଭଳି ଦୋମୁହାଁ କଥା କହି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ସରକାର। ତୁରନ୍ତ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଦରକୁ ନିୟନ୍ତ୍ରଣ କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଏହା ନହେଲେ ଆଗାମୀ ଦିନରେ ଯୁବ କଂଗ୍ରେସ ସମସ୍ତ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଡ. ଲେଙ୍କା ଚେତାବନୀ ଦେଇଛନ୍ତି।