ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସିଆରପିଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଛତିଶଗଡ଼ର ମାଓ ଅଧ୍ୟୁଷିତ ସୁକୁମା ଜିଲ୍ଲାରେ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରୁଥିବା ବ୍ରଜରାଜନଗର ଅଞ୍ଚଳର କମଳାକାନ୍ତ ରୋହିଦାସଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସିଆରପିଏଫ୍‌ ୨୨୩ ବାଟାଲିୟନରେ କାର୍ଯ୍ୟରତ ଥିବା କମଳାକାନ୍ତ ଗତ ୨୯ ତାରିଖ ମଧ୍ୟରାତ୍ରରେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିଲେ। ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ଶନିବାର ଅପରାହ୍ନରେ ସିଆରପିଏଫ୍ ପକ୍ଷରୁ ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟଟର ଯୋଗେ ମରଶରୀରକୁ ଝରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଅଣାଯାଇଥିଲା। ସେଠାରୁ ବ୍ରଜରାଜନଗରସ୍ଥିତ ତାଙ୍କ ଘରେ ପାର୍ଥିବ ଶରୀର କିଛି ସମୟ ରଖି ପରିବାର ଲୋକଙ୍କୁ ଦେଖାଇ ଶେଷକୃତ୍ୟ ପାଇଁ ଇବ୍ ନଦୀ ଘାଟକୁ ନିଆଯାଇଥିଲା।

ଅନ୍ତିମ ସଂସ୍କାର ସମୟରେ ଇବ୍ ନଦୀଘାଟରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ସେହି ସମୟରେ ସୁକୁମାରୁ ଆସିଥିବା ସ୍ୱତନ୍ତ୍ର ଯବାନମାନଙ୍କ ସହ ବ୍ରଜରାଜନଗର ଥାନା ଆଇଆଇସି ଲଳିତା ମୋଦୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, କମଳାକାନ୍ତ ଗତ ୨୦୧୭ ମସିହାରେ ସିଆରଫିଏଫରେ ଯୋଗଦେଇଥିଲେ। ସେ କିଛିଦିନ ଝାରଖଣ୍ଡରେ କାର୍ଯ୍ୟ କରିବା ପରେ ତାଙ୍କର ସୁକୁମାରେ ପୋଷ୍ଟିଂ ହୋଇଥିଲା। ତେବେ କମଳାକାନ୍ତ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ସୁକୁମା ଜିଲ୍ଲା ଆରକ୍ଷୀ ଅଧିକାରୀ କେଏଲ ଧ୍ରୁବ କହିଛନ୍ତି।