ବିଳମ୍ବରେ ଆସୁଛନ୍ତି କୃଷି ବିଭାଗ କର୍ମଚାରୀ, ଘଣ୍ଟାଘଣ୍ଟା ଅପେକ୍ଷା କରୁଛନ୍ତି ଚାଷୀ

ଖଜୁରୀପଡା,ଏନ୍ଏନ୍ଏସ୍: ଖଜୁରୀପଡା ସ୍ଥିତ କୃଷି ବିଭାଗ କର୍ମଚାରୀ ବିଳମ୍ବରେ କାର୍ଯ୍ୟାଳୟକୁ ଆସୁଥିବା ବେଳେ ବହୁଚାଷୀ କାର୍ଯ୍ୟାଳୟକୁ ଆସି ଘଣ୍ଟାଘଣ୍ଟା ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଧାନ ଚାଷ ପରେ ସୋରିଷ ବୁଣିବାକୁ ଚାଷୀମାନେ ପ୍ରସ୍ତୁତି ହୋଇଥିବା ବେଳେ ବିଭାଗ ତରଫରୁ ମଧ୍ୟ ଚାଷୀ ମାନଙ୍କ ପାଇଁ ସୋରିଷ ବଣ୍ଟନ କରାଯାଉଛି। ଆଜି ସକାଳ ୧୧ଟା ସୁଦ୍ଧା କୌଣସି କର୍ମଚାରୀ କାର୍ଯ୍ୟାଳୟକୁ ଆସିନଥିବାରୁ ଅନେକ ଚାଷୀ ସୋରିଷ ବିହନ ନେବା ପାଇଁ ଅପେକ୍ଷାରେ ରହିଥିବା ଅଭିଯୋଗ କରିଛନ୍ତି ଚାଷୀ। ଏନେଇ କୃଷି ବିଭାଗ ଅତିରିକ୍ତ ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ ଆଜି ଫୁଲବାଣୀରେ ଏକ ବୈଠକକୁ ଯାଇଥିବା କହିଥିଲେ।

କାର୍ଯ୍ୟାଳୟରେ କୌଣସି କର୍ମଚାରୀ ନଥିବା ସମ୍ପର୍କରେ ପଚରା ଯିବାରୁ ମୁଁ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ କହୁଛି ସେ କାର୍ଯ୍ୟାଳୟରେ ପହଞ୍ଚିବ ବୋଲି ଅତିରିକ୍ତ କୃଷି ଅଧିକାରୀ ପ୍ରଧାନ କହିଛନ୍ତି। ସେହିଭଳି ଦଳପଡ଼ା ଗ୍ରାମପଞ୍ଚାୟତର ଅନେକ ଚାଷୀଙ୍କୁ ବିଭାଗ ତରଫରୁ ସୋରିଷ ବିହନ ଦେବାକୁ ସୂଚନା ଦେଇଥିବା ବେଳେ ବହୁବାର ସେମାନେ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି ମେଡୁ ଗ୍ରାମର ଉଦୟ ବେହେରା। ତୁରନ୍ତ ସେମାନଙ୍କୁ ସୋରିଷ ବିହନ ପ୍ରଦାନ କରିବାକୁ ଉଦୟ ବେହେରାଙ୍କ ସହ ସୁକଦେବ ବେହେରା ଶକୁନ୍ତଳା କହଁର ଅନ୍ନପୂର୍ଣ୍ଣା କହଁର ଜୟ ବେହେରା ପ୍ରମୁଖ ଦାବି କରିଛନ୍ତି।