କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: କୃଷି ବିଭାଗର ମୁଖ୍ୟ ସଚିବ ଡା. ଅରବିନ୍ଦ ପାଢ଼ୀ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ଏହି ସମୟରେ ଶ୍ରୀ ପାଢ଼ୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ଅନ୍ତର୍ଗତ କେଶରୀଗୁଡ଼ାସ୍ଥିତ ସତ୍ୟବାନ ସାହୁଙ୍କ ବୋଟମ ଛତୁ ଚାଷ କ୍ଷେତ ପରିଦର୍ଶନ କରିଥିଲେ । ପରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟରେ କାଳିଆ ସେଣ୍ଟରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସେଣ୍ଟରକୁ ଉଦଘାଟନ କରିଛନ୍ତି । କାର୍ଯ୍ୟାଳୟରେ ୧୦୮ଟି ଗଛ ଲଗାଇବା ସହ ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏଥିସହ ଜଣେ ଚାଷୀଙ୍କ ଧନିଚା ଚାଷ କ୍ଷେତ ପରିଦର୍ଶନ କରିଛନ୍ତି ଏବଂ ଏହାଦ୍ୱାରା କ’ଣ କ’ଣ ଲାଭ ମିଳିବ ଏହା ଉପରେ ଗୁରୁତ୍ୱ ଦେବା ପାଇଁ ଅଧିକାରୀଙ୍କୁ କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ କରୁଛନ୍ତି ତା’ର ସମୀକ୍ଷା କରିବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ୨ୟ ବୋଟମ ଛତୁ ଉତ୍ପାଦନ କେନ୍ଦ୍ର ହେବାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଯେଉଁ ସବୁ ପଦକ୍ଷେପ କରୁଛନ୍ତି ତାହା ଉପରେ ସମୀକ୍ଷା କରିବେ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।