ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାର ପ୍ରସ୍ତୁତି ଓ ସୁରକ୍ଷା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏଲଜି ମନୋଜ ସିହ୍ନା, ହୋମ ସେକ୍ରେଟେରୀ ଅଜୟ ଭଲ୍ଲା, ଇଣ୍ଟଲିଜେନ୍ସ ବ୍ୟୁରୋ ଚିଫ ତପନ ଡେକା ଓ ସିଆରପିଏଫ ଡାୟରେକ୍ଟର ଜେନେରାଲ ଏସ ଏଲ ଥାଔସେନ ସମେତ ଅନେକ ଅଧିକାରୀ ସାମିଲ ଥିଲେ ।
ସୂଚନାଯୋଗ୍ୟ, ଦକ୍ଷିଣ କଶ୍ମୀର ହିମାଳୟରେ ୩,୮୮୦ ମିଟର ଉଚ୍ଚରେ ଥିବା ଅମରନାଥର ପବିତ୍ର ଗୁମ୍ଫା ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ୬୨ ଦିବସୀୟ ବାର୍ଷିକ ତୀର୍ଥଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ରେ ସରିବ । ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଅମରନାଥ ଯାତ୍ରାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରିବ ବୋଲି ସୂଚନା ମିଳିଛି । ସେଥିପାଇଁ ଯାତ୍ରା ମାର୍ଗରେ ପର୍ଯ୍ୟାପ୍ତ ସୁରକ୍ଷା ବଳକୁ ନିଯୁକ୍ତ କରାଯିବ ।