ଟିକାକରଣ ପ୍ରଣାଳୀରୁ ବୟସ ସୀମା ହଟାଯାଉ: କେଜ୍ରିୱାଲ

ନୂଆଦିଲ୍ଲୀ,ଏଜେନ୍ସି: ରାଜଧାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି (ରବିବାର) କହିଛନ୍ତି ଦିଲ୍ଲୀରେ ୪୫ ବର୍ଷ ବୟସ ଭିତରେ ପ୍ରାୟ ୬୫ ପ୍ରତିଶତ କରୋନା ରୋଗୀ ରହିଛନ୍ତି। କରୋନାର ଚକ୍ର ସେବେ କମିବ ଯେତେବେଳେ ଟିକାକରଣ ହେବ। କେନ୍ଦ୍ର ସରକାର ବହୁତ ପ୍ରତିବନ୍ଧକ ଲଗାଇଛନ୍ତି। ତେଣୁ କେନ୍ଦ୍ରକୁ ମୁଁ ଅନୁରୋଧ କରୁଛି ଟିକାକରଣ ପ୍ରଣାଳୀରୁ ବୟସ ସୀମାକୁ ହଟାଯାଉ।

କରୋନା ଟିକାକରଣ ପ୍ରଣାଳୀରେ ବୟସ ସୀମାକୁ ହଟାଇବାକୁ ମୁଁ ଅନେକ ଥର କେନ୍ଦ୍ରକୁ ଅନୁରୋଧ କରିଛି। ଦିଲ୍ଲୀ ସରକାର ଲୋକଙ୍କୁ ଟିକା ପ୍ରଦାନ ପାଇଁ ଡୋର ଟୁ ଡୋର ଅଭିଯାନ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଅଛି। ଦିଲ୍ଲୀରେ ୪୫ ବର୍ଷ ଭିତରେ ପ୍ରାୟ ୬୫ ପ୍ରତିଶତ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। କରୋନା ସଂକ୍ରମଣ ଟିକାକରଣ ଡ୍ରାଇଭଠାରୁ ଖୁବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦ୍ରୁତ ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ ଦ୍ରୁତ ଟିକାକରଣ କରିବାକୁ ପଡିବ ବୋଲି କହିଛନ୍ତି। ଏଥିସହିତ ଡାକ୍ତଖାନାକୁ ଯିବା ପୂର୍ବରୁ ସରକାରୀ ଆପରେ ବେଡ ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ସହାରବାସୀଙ୍କୁ ଅନୁରୋଧ କରିଛନ୍ତି।