ପୁଣି ୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ବାଇକ, ଅଳ୍ପକେ ବର୍ତ୍ତିଲେ ଦାଦା-ପୁତୁରା

ଚାନ୍ଦବାଲି,ଏନ୍ଏନ୍ଏସ୍: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅଞ୍ଚଳରେ ଆଜି ପୁଣି ଏକ ବିଦ୍ୟୁତ୍ ଜନିତ ଅଘଟଣ ଘଟିଯାଇଛି। ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ କୋଇଥକୋଲା ବଜାର ନିକଟରେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ଏକ ହିରୋ ସ୍ପେଲଣ୍ଡର ପ୍ଲସ୍ ବାଇକ୍ ସଂସ୍ପର୍ଶରେ ଆସିଯାଇଥିଲା। ଏଥିରେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଗାଡ଼ି ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ହେଲେ ଗୁଆଳ ଗାଁର ଦାଦା ଦୁର୍ୟ୍ୟୋଧନ ରାଉଳ ଓ ପୁତୁରା ସୁଦର୍ଶନ ଜେନା। ପ୍ରକାଶ ଯେ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଂଶଡା ଥାନାର ଗୁଆଳ ଗାଁର ଦୁର୍ୟ୍ୟୋଧନ ରାଉଳ ସେହି ଗାଁର ସୁଦର୍ଶନ ଜେନାଙ୍କ ବାଇକରେ ବସି ଭୋର୍ ୪ଟା ସମୟରେ କୋଇଥକୋଲା ଆସୁଥିଲେ। ସେ ଏକ ଘରୋଇ ବସରେ କଟକ ଆସିବା ଲାଗି କୋଇଥକୋଲା ବଜାରକୁ ଯାଉଥିଲେ। ହେଲେ ସେଦୁହେଁ ବଜାର ପୂର୍ବରୁ ଥିବା ହନୁମାନ ମନ୍ଦିର ନିକଟରେ ପୂର୍ବରୁ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ୍ ତାର ଝଟକାରେ ଦୁର୍ୟ୍ୟୋଧନ ରାଉଳ ଏବଂ ସୁଦର୍ଶନ ଜେନା ତଳେ ପଡ଼ିଯାଇଥିବା ବେଳେ ବାଇକ୍ ବିଦ୍ୟୁତ ତାରରେ ଲାଗି ରହିଥିଲା ଏବଂ ତାହା ଜଳି ଯାଇଥିଲା। ଏହାଫଳରେ ସେଦୁହେଁ ଅବଶ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣା ଘଟିବା ପରେ ସେହି ରାସ୍ତାରେ କିଛି ସମୟ ଲାଗି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଏନେଇ ସୁଦର୍ଶନ ଜେନା ଧାମରା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ । ପୁଲିସ ହସ୍ତକ୍ଷେପ ପରେ ବିଦ୍ୟୁତ୍ ବିଭାଗ ବିଦ୍ୟୁତ୍ କାଟିଥିଲେ। ଏହାପରେ ସେହି ରାସ୍ତାରେ ଯାତାୟତ ସ୍ଵାଭାବିକ ହୋଇଥିଲା । ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।