କନ୍ଦାଉଛି କରୋନା: ମା’ର ମୃତ୍ୟୁ ପରେ ଚିକିତ୍ସା ପାଇଁ ବିଭିନ୍ନ କୋଭିଡ ହସ୍ପିଟାଲ ଘୁରି ବୁଲିଲେ ନବଜାତ ଜିଲ୍ଲା By Nitidin On Sep 17, 2020 Share ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଦିନକୁଦିନ ଲୋକଙ୍କୁ କନ୍ଦାଇବାରେ ଲାଗିଛି କରୋନା। କେତେବେଳେ ମା’କୁ ଛଡ଼ାଇ ନବଜାତକୁ ଅନାଥ କରୁଛି ତ ପୁଣି ସେହି ନବଜାତର ଚିକିତ୍ସା ପାଇଁ ଗୋଟିଏ କୋଭିଡ ହସ୍ପିଟାଲରୁ ଆଉ ଗୋଟିଏ କୋଭିଡ ହସ୍ପିଟାଲ ବୁଲାଉଛି। ଏପରି ଏକ ଦୁଃଖଦ ଘଟଣା ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲୀ ଗ୍ରାମର ଅଜିତ ସାହୁଙ୍କ ପତ୍ନୀ ରେସ୍ମାରାଣୀଙ୍କୁ ପ୍ରସବ ବେଦନା ହେବାରୁ ଗତ ୬ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ବୁର୍ଲାରେ ରେସ୍ମାରାଣୀଙ୍କ ସ୍ୱାବ ପରୀକ୍ଷା ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତେଣୁ ତାଙ୍କୁ ସମ୍ବଲପୁର କୋଭିଡ଼ ହସ୍ପିିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ସେ ଗତ ୭ ତାରିଖରେ ଜମଜ ସନ୍ତାନକୁ ଜନ୍ମ ଦେଇ ୧୦ ତାରିଖରେ ପ୍ରାଣ ହରାଇଥିଲେ। ସେହିଦିନ ସମ୍ବଲପୁର ରାଜଘାଟରେ ରେସ୍ମାଙ୍କ ଅନ୍ତିମ ସଂସ୍କାର କରାଯିବା ସହ ନବଜାତ ଶିଶୁଙ୍କୁ କୋଭିଡ କେୟାରରେ ରଖାଯାଇଥିଲା। ସେଠାରେ ଶିଶୁମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଆମ୍ବୁଲାନ୍ସରେ ଝାରସୁଗୁଡ଼ା କୋଭିଡ଼ କେୟାର ହସ୍ପିିଟାଲକୁ ପଠାଯାଇଥିଲା। ଝାରସୁଗୁଡ଼ାରୁ ନବଜାତଙ୍କୁ ପୁଣି ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ଅଣାଯାଇଥିଲା। କିମ୍ସରେ ନବଜାତ ଶିଶୁ ଦ୍ୱୟଙ୍କୁ ତୁରନ୍ତ ଭର୍ତ୍ତି କରି ଚିକିତ୍ସା କରିବା ପରିବର୍ତ୍ତେ ଦୀର୍ଘ ଏକ ଘଣ୍ଟା ବାହାରେ ରଖିଥିଲେ ଚିକିତ୍ସାଳୟ କର୍ତୃପକ୍ଷ। ତେବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହସ୍ତେକ୍ଷପ ପରେ କିମ୍ସରେ ଶିଶୁ ଦ୍ୱୟଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଝାରସୁଗୁଡ଼ା କୋଭିଡ ହସ୍ପିଟାଲରେ ନବଜାତ ଶିଶୁଙ୍କୁ ନ ରଖି ଭୁବନେଶ୍ୱର କାହିଁକି ପଠାଗଲା ବୋଲି ପଚାରିବାରୁ କୋଭିଡ ହସ୍ପିଟାଲ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି ଯେ, ଶିଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଥିବା ସିକ ନ୍ୟୁ ବର୍ଣ୍ଣ କେୟାର ୟୁନିଟ (ଏସ୍ଏନ୍ସିୟୁ) ଝାରସୁଗୁଡ଼ାରେ ନାହିଁ । ତେଣୁ ଶିଶୁ ଦ୍ୱୟଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ପଠାଯାଇଛି। Share