ସ୍ତ୍ରୀ ଓ ଝିଅକୁ ହତ୍ୟାକରି ବାପାର ଆତ୍ମହତ୍ୟା ଉଦ୍ୟମ

ଜଗତସିଂହପୁର,ଏନ୍ଏନ୍ଏସ୍: ଜଗତସିଂହପୁର ଥାନା ଶାଳିଜଙ୍ଗା ପଞ୍ଚାୟତର ଜୋତ(ଚନ୍ଦପାଟଣା) ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଯାଇଛି ଅଭାବନୀୟ ଘଟଣା। ସ୍ତ୍ରୀ ଓ ଝିଅକୁ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା ଉଦ୍ୟମ କରିଛି। ବିଳମ୍ବିତ ରାତିରେ ଲୋକନାଥ ପାଲ ନିଜ ସ୍ତ୍ରୀ କଳ୍ପନା ପାଲ ଓ ଝିଅ ମଧୁସ୍ମିତା ପାଳ(ଲକି) ସହିତ ପାରିବାରିକ କଳହକୁ ନେଇ ପାଟିତୁଣ୍ଡ କରିଥିଲେ। ଏହି ଘଟଣାରେ ଅଧିକ ଉତ୍ତେଜିତ ହୋଇ ଲୋକନାଥ ଏକ ଧାରୁଆ ଅସ୍ତ୍ରରେ ଝିଅ ଲକି ଓ ସ୍ତ୍ରୀକୁ ଅତର୍କିତ ଭାବେ ହାଣିଥିଲେ। ନିଜ ଘରେ ଏକ ଦଉଡ଼ି ସାହାଯ୍ୟରେ ଲୋକନାଥ ଆତ୍ମହତ୍ୟା ଉଦ୍ୟମ କରିଥିବା ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି।

ଗୁରୁତର ଅବସ୍ଥାରେ ମା’ ଓ ଝିଅକୁ ସ୍ଥାନୀୟ ଲୋକେ ଚିକିତ୍ସା ନିମନ୍ତେ ଆଣିଥିଲେ ମଧ୍ୟ ଝିଅ ଲକିକୁ ଡାକ୍ତର ମୃତ ଘୋଷଣା କରିଥିଲେ। କଳ୍ପନା ଗୁରୁତର ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଯାଉଥିବା ସମୟରେ କଳ୍ପନାଙ୍କ ମୃତ୍ୟୁ ହୋଇଛି। ଖବରପାଇ ଜଗତସିଂହପୁର ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଲୋକନାଥଙ୍କ ପୁଅ ଦୀର୍ଘ ୨ବର୍ଷରୁ ଊର୍ଦ୍ଧ୍ୱହେବ ଅନ୍ୟ ଜାତିର ଝିଅକୁ ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି। ଏହି ଘଟଣାକୁ ନେଇ ପରିବାରରେ ବାରମ୍ବାର କଳିଝଗଡ଼ା ହେଉଥିଲା। ଜଗତସିଂହପୁର ପୁଲିସ ଘଟଣାର ତଦନ୍ତ ଚଳାଇଛି।