ସେପ୍ଟେମ୍ବରରୁ ବିଧାନସଭା ମୌସୁମୀ ଅଧିବେଶନ

* ଡବଲ୍ ଡୋଜ୍ ଟିକା ନିଅ, ନହେଲେ ଗୃହ ପ୍ରବେଶକୁ ନା’: ବାଚସ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୧୯ରୁ ଅଗଷ୍ଟ ୩ ଯାଏ ସଂସଦର ବସିବ ମୌସୁମୀ ଅଧିବେଶନ। ହେଲେ ଓଡ଼ିଶା ବିଧାନସଭା ଅଧିବେଶନ ବସିବ ଆସନ୍ତା ସେପ୍ଟେମ୍ବରରେ। ହେଲେ ଚୂଡ଼ାନ୍ତ ତାରିଖ ଘୋଷଣାର ପୂର୍ବ ଦୁଇ ସପ୍ତାହ ଭିତରେ ବିଧାୟକମାନେ ଡବଲ୍ ଡୋଜ୍ ଟିକା ନେବା ଜରୁରୀ। ନହେଲେ ବିଧାନସଭାକୁ ପ୍ରବେଶକୁ ବାରଣ କରାଯିବ।

ଶନିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଯେ, ମୌସୁମୀ ଅଧିବେଶନ ଜୁଲାଇରେ ବସିବା ସମ୍ଭବ ନୁହେଁ। ସେପ୍ଟେମ୍ବରରେ ତାହା ବସିବ। ହେଲେ ତାରିଖ ଧାର୍ଯ୍ୟ ହୋଇନାହିଁ। ଦୁଇ ସପ୍ତାହ ପୂର୍ବରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହି ଅବଧି ଭିତରେ ବିଧାୟକମାନେ ବିଧାନସଭା ଡାକ୍ତରଖାନା, ନିଜ ଜିଲ୍ଲା ବା ବିଧାନସଭା କ୍ଷେତ୍ରରେ ଡବଲ୍ ଡୋଜ୍ ଟିକା ନେଇ ନେବା ଦରକାର। କୋଭିଡ୍ ସଂକ୍ରମଣ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏବେ ଟିକା ନେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ଆଗାମୀ ମୌସୁମୀ ଅଧିବେଶନରେ ଗୃହ ପ୍ରବେଶ ପୂର୍ବରୁ ବିଧାୟକମାନେ ‘ଡବଲ୍ ଡୋଜ୍’ ଟିକା ନେଇଯିବା ଜରୁରୀ। ନ ହେଲେ ଗୃହ ପ୍ରବେଶକୁ ବାରଣ କରାଯିବ।

ଡ. ପାତ୍ର କହିଛନ୍ତି ଯେ, ପ୍ରଥମ ଲହର ଲହର ବେଳେ ବିଧାନସଭା ପକ୍ଷରୁ ଏଭଳି କଟକଣା ଜାରି ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ କୋଭିଡ୍ କଟକଣାକୁ ଗୃହ ଭିତରେ ଓ ବାହାରେ କଡ଼ାକଡ଼ି କରାଯାଇଥିଲା। ବିଧାୟକଙ୍କ ବସିବା ପାଇଁ ଗୃହରେ ଚାରି ଫୁଟ ଦୂରତାରେ ଆସନ ବ୍ୟବସ୍ଥା ହୋଇଥିଲା। ସେହି ନିୟମ ମୌସୁମୀ ଅଧିବେଶନରେ ବଳବତ୍ତର ରହିବ। ଗୃହ ପ୍ରବେଶ ପାଇଁ ବିଧାୟକଙ୍କ ଆର୍ଟି ପିସିଆର ବା ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଜରୁରୀ ହୋଇଥିଲା। ପଜିଟିଭ ଥିଲେ ଗୃହ ପ୍ରବେଶକୁ ବାରଣ କରାଯାଇଥିଲା। ଗୃହ ଭିତରେ କିଛି ବୟସାଧିକ୍ୟ କିମ୍ବା ରକ୍ତଚାପ, ମଧୁମେହ ଆଦିି ରୋଗରେ ପୀଡ଼ିତ ବିଧାୟକମାନେ ବିଧାନସଭା ଅଧିବେଶନକୁ ନଆସି ଓକାକ୍, ଲୋକସେବା ଭବନର ସମ୍ମିଳନୀ କକ୍ଷ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥିତ ଭିଡ଼ିଓ କନ୍ଫରେନ୍ସ ହଲ୍‌ରେ ରହି ବିଧାନସଭାର ଅଲୋଚନାରେ ଭାଗ ନେଇଥିଲେ।

ସାମାଜିକ ଦୂରତ୍ୱ ନିୟମ ମାନିବା ପାଇଁ ଅଧିବେଶନ ସମୟରେ ପ୍ରତ୍ୟେକ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କେବଳ ବିଧାୟକ ନୁହଁନ୍ତି ବିଧାନସଭାର ସବୁ ଷ୍ଟାଫ୍ ଓ ସାମ୍ବାଦିକଙ୍କର ବି ‘କରୋନା ଟେଷ୍ଟ’ କରାଯାଇଥିଲା। ଏଥର ବି ତାହା ବାଧ୍ୟତାମୂଳକ କରାଯାଇଛି ବୋଲି ବାଚସ୍ପତି ସ୍ପଷ୍ଟ କରିଥିଲେ।