କୋଟିଆ ପରେ ନିର୍ବିବାଦୀୟ ‘ଗାଲିଗାବଦର’ରେ ଆନ୍ଧ୍ରର ଅନୁପ୍ରବେଶ

କୋରାପୁଟ,ଏନ୍ଏନ୍ଏସ୍: ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତର ବିବାଦୀୟ ୨୧ଟି ଗ୍ରାମ ପରେ ଆନ୍ଧ୍ର ପ୍ରଶାସନ ନିର୍ବିବାଦୀୟ ଗ୍ରାମରେ ମଧ୍ୟ ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭନ ଦେଖାଇ ପଞ୍ଚାୟତ ନିର୍ବାଚନ କରିଥିବା ନଜରକୁ ଆସିଛି। ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଗାଲିଗାବଦର ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ମଧ୍ୟ କେହି ଜାଣି ପାରିନଥିଲେ। ଆନ୍ଧ୍ରର ସାଲୁର ମଣ୍ଡଳର ସାରିକା ପଞ୍ଚାୟତରେ ଗାଲିଗାବଦାର ଗ୍ରାମର ନାମ ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଥିବା ଜଣାପଡ଼ିଛି। ଗାଲିଗାବଦାର ନାମକୁ ଗାଲିଗାବାଦାରୀ ରଖାଯାଇଥିବା ସୂଚନା ମିଳିଛି। ଗାଲିଗାବଦାରର କିଛି ଲୋକେ ଭୋଟ ଦେବାକୁ ଯାଇଥିବା ଜିଲ୍ଲା ପ୍ରଶାସନ ଖବର ପାଇବା ପରେ ଗ୍ରାମକୁ ଯାଇ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ନିର୍ବାଚନର ଦିନକ ପୂର୍ବରୁ କିଛି ଗ୍ରାମବାସୀ ବୁଥକୁ ଯାଇ ଭୋଟ ଦେଇଥିବା ଜଣାପଡ଼ିଛି। ନାଗେଶ ଗୁଣ୍ଠା, ପାଙ୍ଗୀ ଦାଶୁ, ପାଙ୍ଗୀ ଲେଙ୍ଗୁ, ଜାଲେରୀ ଭଗବାନ ଓ ଜାଲେରୀ ବିଶୁଙ୍କ ସହ ପ୍ରାୟ ୪୦ଜଣ ଲୋକ ଭୋଟ ଦେଇଥିବା ଏକ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ବ୍ଲକ ପ୍ରଶାସନ କିପରି ଏସମ୍ପର୍କରେ ଜାଣି ପାରିଲେ ନାହିଁ ତାକୁ ନେଇ ସ।।ଧାରଣରେ ଉଦବେଗ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ବିବାଦୀୟ ଗ୍ରାମ ଗଞ୍ଜେଇପଦର, କୋଟିଆ, ମାଡ଼କାର ,ବର୍ଣ୍ଣାପାଡୁ , ଡୋଲିଆମ୍ଭ, କୋନାଦୋରା, ସଲପଗୁଡ଼ା, ଫଗୁଣସେନେରୀ, ଫାଟୁସେନେରୀ, ହରମାଣ୍ଡିଙ୍ଗୀ, ମୋହିପାଣି, ଉପରସେମ୍ବି, ତଳସେମ୍ବି, ଧୂଲିପଦର, ଆର୍ଜୁବାଲସା, ତାଡ଼ିବାଲସା, ନେରେଡ଼ିବାଲସା, ସିଡ଼ିବାଲସା, ରଣସିଂ, ପନିକି, ସିମାଗଡ଼ା ଗ୍ରାମକୁ ନେଇ ଆନ୍ଧ୍ର ତଳଗେଞଇପଦର, ଫଗୁଣସିନେରୀ ଓ ଫାଟୁସିନେରୀ ନାମକ ୩ଟି ପଞ୍ଚାୟତ ଗଠନ କରି ନିର୍ବାଚନ ପ୍ରକ୍ରିୟା ଶେଷ କରିଛି। ତଳଗଞ୍ଜେଇପଦର ଓ ଫଗୁଣସିନେରୀରେ ସରପଞ୍ଚ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ କେବଳ ଫାଟୁସିନେରୀରେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫାଟୁସିନେରୀ ବୁଥରେ ଓଡ଼ିଶାର ସାମ୍ବାଦିକ, ପ୍ରଶାସକ ଓ ରାଜନେତାମାନେ ଉପସ୍ଥିତ ରହିଥିଲେ।