ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୁବଲପଡ଼ା ପଞ୍ଚାୟତ ରେଙ୍ଗଟାସିଲ କାର୍ଯ୍ୟାଳୟ ପରିସରରେ ଥିବା ଗଛକୁ କାଟି ସରପଞ୍ଚ ଅଡୁଆରେ ପଡ଼ିଛନ୍ତି । ପଞ୍ଚାୟତ ପରିସରରୁ ଗଛ କଟାକୁ ନେଇ ୱାର୍ଡ ମେମ୍ବର ଓ ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ପରେ ପାଟଣାଗଡ଼ ବନ ବିଭାଗ ସେଠାରେ ପହଞ୍ଚି କଟା ଗଛକୁ ଜବତ କରି ସରପଞ୍ଚ କସ୍ତୁରୀ ଭୋଇଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ରେଞ୍ଜର ଆନନ୍ଦ ଚନ୍ଦ୍ର ବିଶି କହିଛନ୍ତି ।
ଅଭିଯୋଗ ଅନୁସାରେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶିଶୁ ଓ ଗମ୍ଭାରୀ ସମେତ ଅନ୍ୟାନ୍ୟ ଗଛ ରହିଥିଲା । ସରପଞ୍ଚଞ୍ଚକସ୍ତୁରୀ ଭୋଇ ଓ ତାଙ୍କ ସ୍ୱାମୀ କିଶୋର ଚନ୍ଦ୍ର ଭୋଇ ମିଶି ବିନା ରେଜୁଲେସନରେ ଗଛ କାଟିଛନ୍ତି । ଏପରିକି କାର୍ଯ୍ୟାଳୟ ପରିସରରୁ ଗଛ କଟା ପାଇଁ ବନ ବିଭାଗ ପକ୍ଷରୁ ଅନୁମତି ମଧ୍ୟ ନେଇ ନାହାନ୍ତି । ଗଛ କଟାକୁ ବିରୋଧ କରି ୱାର୍ଡ ମେମ୍ବରଙ୍କ ଅଭିଯାଗ ପରେ ଫରେଷ୍ଟର ଗୁଣନିଧି ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ କାର୍ଯ୍ୟାଳୟ ପରିସରରୁ ୪୧ଟି ବିଭିନ୍ନ ପ୍ରକାର ଗଛ କଟାଯାଇଥିବା ବନ ବିଭାଗ ଜାଣିବାକୁ ପାଇଥିଲା । ଜବତ କାଠ ଗଣ୍ଡି ଗୁଡ଼ିକୁ ଏକ ଟ୍ରାକ୍ଟର ଯୋଗେ ବନ କାର୍ଯ୍ୟାଳୟକୁ ଅଣାଯାଇଛି । ଏନେଇ ସରପଞ୍ଚଙ୍କୁ ବନ ବିଭାଗ ପକ୍ଷରୁ ଡକା ଯାଇଥିଲେ ମଧ୍ୟ ସେ ରେଞ୍ଜ କାର୍ଯ୍ୟାଳୟକୁ ଆସି ନଥିଲେ । ପରେ ବନ ବିଭାଗ ସଂପୃକ୍ତ ସରପଞ୍ଚଙ୍କ ନାଁରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି । ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ବନରକ୍ଷୀ ଜ୍ୟୋସ୍ନା, ପାରାଷ୍ଟାଫ ହରି ସାହୁ ଓ ପୂର୍ଣ୍ଣଚନ୍ଦ୍ର ଥାପା ପ୍ରମୁଖ ଉପସ୍ଥିତ ଥିଲେ ।