ସିବିଆଇ ପରେ ୭ ଦିନିଆ ଇଡି ରିମାଣ୍ଡରେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ମଦ ନୀତି ମାମଲାରେ କୋର୍ଟ ୭ ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି । ଇଡି ପକ୍ଷରୁ ସିସୋଦିଆଙ୍କ ୧୦ ଦିନିଆ ରିମାଣ୍ଡ ଦାବୀ କରାଯାଇଥିଲା । ଏହି ଘୋଟାଲା ଅବକାରୀ ନୀତିର ଚୁକ୍ତି ପ୍ରସ୍ତୁତ କରିବାଠୁ ଆରମ୍ଭ ହୋଇଥିଲା ଯାହାକି ସିସୋଦିଆ ଓ ଅନ୍ୟମାନେ କରିଥିଲେ ବୋଲି ଇଡି ପକ୍ଷରୁ କୁହାଯାଇଥିଲା । ଏହି ସମୟରେ ସିସୋଦିଆଙ୍କ ଓକିଲ ଇଡିର କଡ଼ା ବିରୋଧ କରିଥିଲେ ।

ସୂଚନାଯୋଗ୍ୟ, ସିବିଆଇ ପକ୍ଷରୁ କରାଯାଇଥିବା ମନିଷ ସିସୋଦିଆଙ୍କ ଗିରଫଦାରୀ ମାମଲାର ଜାମିନ ଆବେଦନର ଶୁଣାଣି ଆସନ୍ତା ମାର୍ଚ୍ଚ ୨୧ରେ ହେବ । ଦିଲ୍ଲୀ ଅବକାରୀ ନୀତିର କଥିତ ଅନିୟମିତତା ମାମଲାରେ ସିବିଆଇ ସିସୋଦିଆଙ୍କୁ ଫେବୃଆରୀ ୨୬ ତାରିଖରେ ଗିରଫ କରିଥିଲା । ପରେ ଉକ୍ତ ମାମଲା ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଇଡି ତିହାଡ଼ ଜେଲରେ ସିସୋଦିଆଙ୍କୁ ଜେରା କରିଥିଲା ।