୧୭ ବର୍ଷ ପରେ ସୀମାରୁ ଫେରିଲେ ଅଗସ୍ତି

ସଇଁନ୍ତଳା,ଏନ୍ଏନ୍ଏସ୍: ଦେଶର ସୁରକ୍ଷା ପାଇଁ ଅନେକ ଯବାନ ନିଜ ଜୀବନକୁ ବାଜିରେ ଲଗାଇ ଶତ୍ରୁଙ୍କ ସହ ଯୁଦ୍ଧ କରି ସହିଦ ହୁଏ ତ ଆଉ କିଏ ସୁରକ୍ଷିତ ଭାବେ ଭିଟା ମାଟିକୁ ଫେରିଥାଏ। କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ ଭଦ୍ରା ପଞ୍ଚାୟତ ମହଗାଁରେ ଏକ ନିଆରା ଘଟଣା ଘଟିଛି। ଅଗସ୍ତି ବାଗ ଭାରତୀୟ ସେନାର ଯବାନ ଭାବେ ଚାକିରି ଜୀବନ ଶେଷ କରି ୧୭ ବର୍ଷ ପରେ ନିଜ ଘରକୁ ଫେରଛନ୍ତି। ଏହି ପରିପ୍ରେକ୍ଷୀରେ ଗୀତ ନାଚ ମାଧ୍ୟମରେ ଗ୍ରାମବାସୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିବାବେଳେ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି। ବାପା ବ୍ରହ୍ମ ବାଗ ଓ ମାଆ ବୈଦେହୀ ବାଗଙ୍କ ପୁଅ ଅଗସ୍ତି ସଇଁନ୍ତଳା କଲେଜରେ ପାଠ ପଢ଼ୁଥିବା ସମୟରେ ୨୦୦୪ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ଜମ୍ମୁ କାଶ୍ମୀର ପୁଞ୍ଜ ସେକରଠାରେ ୧୭ ବର୍ଷ ଦେଶର ସେବା କରିବା ପରେ ସେ କାର୍ଯ୍ୟରୁ ଅବସର ନେଇଛନ୍ତି।