ଆଫଗାନ୍ ସେନା ଉପରେ ହମଲା : ୨୭ ମୃତ

କାବୁଲ,ଏଜେନ୍ସି : ଗୁରୁବାର ଆଫଗାନ୍ ସେନାଘାଟି ଉପରେ ଆତଙ୍କୀ ସଂଗଠନ ହମଲା କରିବା ଫଳରେ ଅନ୍ୟୂନ ୨୭ ଯବାନ୍ ପ୍ରାଣ ହରାଇଛନ୍ତି। ଗତମାସରେ ଆମେରିକା ଓ ତାଲିବାନ୍ ସଂଗଠନ ମଧ୍ୟରେ ଶାନ୍ତି ରାଜିନାମା କରାଯିବା ପରେ ପ୍ରଥମ ଥର ପାଇଁ ବଡ଼ ଧରଣର ହମଲା କରାଯାଇଛି। ଗୁରୁବାର ହମଲା ପାଇଁ ଆଫଗାନ୍ ସରକାର ତାଲିବାନକୁ ଦାୟୀ କରିଛି। ଆଫଗାନରୁ ଆମେରିକା ସେନା ହଟିଗଲେ, ହିଂସାକାଣ୍ଡ ଥମିଯିବ ବୋଲି ଆମେରିକା-ତାଲିବାନ୍ ରାଜିନାମାରେ ଉଲ୍ଲେଖ କରାଯାଇଥିଲା। ଆଫଗାନିସ୍ତାନରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶାନ୍ତି ଆଲୋଚନା ଆରମ୍ଭ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ତେବେ ନିର୍ବାଚନ ପରେ ଖୋଦ୍ ତାଲିବାନ୍ ଶାନ୍ତି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରିଥିଲା।

କୁହାଯାଉଛି, ରାଜିନାମା ମୁତାବକ ଆଫଗାନ୍ ସରକାର ତାଲିବାନ କଏଦୀଙ୍କୁ ଜେଲରୁ୍ ମୁକ୍ତ ନ କରିବାରୁ ଗୁରୁବାର ବିଳମ୍ବିତ ରାତିରେ ଜାବୁଲ ପ୍ରଦେଶରେ ଥିବା ଆଫଗାନ୍-ଆମେରିକା ମିଳିତ ସେନାବାହିନୀ ଘାଟି ଉପରେ ସଶସ୍ତ୍ର ତାଲିବାନୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ହମଲା ଜାରି ରହିଥିଲା। ସେନା ଶିବିରରେ ପଶି ତାଲିବାନ୍ ଆତଙ୍କୀମାନେ ବନ୍ଧୁକ, ଗୁଳିଗୋଳା ଧରି ପଳାଇଥିଲେ। ହମଲା ସମ୍ପର୍କରେ ତାଲିବାନ୍ ସଂଗଠନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି। ଅନୁପ୍ରବେଶକାରୀଙ୍କ ସହାୟତାରେ ଜାବୁଲ ପ୍ରଦେଶରେ ଆତଙ୍କୀ ହମଲା କରାଯାଇଛି ବୋଲି ଜାବୁଲ୍ ଗଭର୍ଣ୍ଣରଙ୍କ ପ୍ରବକ୍ତା କହିଛନ୍ତି। ଆଫଗାନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସମାନ ପ୍ରତିକ୍ରିୟା ପକାଶ ପାଇଛି।