କରୋନା : ଚୀନକୁ ବଳିଗଲା ଇଟାଲୀ ମୃତ୍ୟୁ

ରୋମ,ଏଜେନ୍ସି : ଚୀନରେ ୩୨୪୮ କରୋନା ରୋଗୀ ପ୍ରାଣ ହରାଇଥିବା ବେଳେ ଇଟାଲୀରେ ୩୪୦୦ରୁ ଅଧିକ ମରିଛନ୍ତି। ଗୁରୁବାର ଇଟାଲୀରେ ମୃତ୍ୟୁସଂଖ୍ୟା ଚୀନ୍ ମୃତ୍ୟୁ ସଂଖ୍ୟାକୁ ଅତିକ୍ରମ କରିଥିଲା। ଇଟାଲୀରେ ୪୧ ହଜାରରୁ ଅଧିକ ଲୋକଙ୍କୁ କରୋନା ସଂକ୍ରମିତ କରିଛି। ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଆମେରିକାରେ କରୋନା ପରୀକ୍ଷଣ ସାମଗ୍ରୀର ଅଭାବ ପରିଲକ୍ଷିତ ହୋଇଛି।

ସଦ୍ୟ ସୂଚନା ଅନୁସାରେ, ଚୀନରେ ସ୍ଥାନୀୟ ଲୋକଙ୍କୁ କରୋନା ହୋଇଥିବାର ରିପୋର୍ଟ ପ୍ରାୟତଃ ନାହିଁ। କିନ୍ତୁ ଚୀନରେ ବିଦେଶ ଫେରନ୍ତାଙ୍କ ମଧ୍ୟରୁ କରୋନା ମାମଲା ବୃଦ୍ଧି ପାଇଛି। ଚୀନରେ ଅଦ୍ୟାବଧି ୭୧,୧୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ବୋଲି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କମିଶନ ସୂତ୍ରରୁ ପ୍ରକାଶ। କରୋନା ଭୂତାଣୁରେ ସଂକ୍ରମିତ ହୋଇ ସାରା ବିଶ୍ୱରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି ଜନ୍ସ ହପକିନ୍ସ ୟୁନିଭର୍ସିଟି ରିପୋର୍ଟ ସୂତ୍ରରୁ ପ୍ରକାଶ। ପ୍ରାୟ ୩ ମାସ ତଳେ ଚୀନରେ ହୁବେଇ ପ୍ରଦେଶରେ ପ୍ରଥମେ କରୋନା ଭୂତାଣୁ ଠାବ କରାଯାଇଥିଲା।

ଏବେ ଏକମାତ୍ର ଆଣ୍ଟାର୍କଟିକା ମହାଦେଶକୁ ବାଦ ଦେଇ ଅନ୍ୟ ମହାଦେଶକୁ କରୋନା ବ୍ୟାପିଯିବା ଫଳରେ ସାରା ବିଶ୍ୱରେ ପ୍ରାୟ ଅଢ଼େଇ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ଅନ୍ୟ ସୂତ୍ରରୁ କରୋନା ରୋଗୀଙ୍କ ତାଲିକା ସଂଗ୍ରହ କରିବା ପରେ ଜନ୍ସ ହପକିନ୍ସ ୟୁନିଭର୍ସିଟି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିଛି। ୟୁରୋପ ଓ ବ୍ରିଟେନରେ ଗମ୍ଭୀରଜନକ ସ୍ଥିତି ଉପୁଜିଛି। ଇରାନରେ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁସଂଖ୍ୟା ୧୪୩୩କୁ ବୃଦ୍ଧି ପାଇଛି।