ରାୟଗଡାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନର ସବୁଜ ସଙ୍କେତ, ଆଜି ଠାରୁ ଖୋଲିଲା ମଝିଘରିଆଣୀଙ୍କ ପୀଠ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ସବୁଜ ସଙ୍କେତ ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର। କରୋନା କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଇପାରିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ମନ୍ଦିର ରବିବାର ଦିନ ଅର୍ଥାତ ଆଜି ଠାରୁ ଖୋଲାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ମଝିଘରିଆଣୀଙ୍କ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଦାଳୁ ସମାଗମ ହେଉଥିବା ଯୋଗୁଁ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ମା’ଙ୍କ ପୀଠର ଗର୍ଭଗୃହ ମଧ୍ୟରେ କୌଣସି ଶ୍ରଦ୍ଦାଳୁଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ବେଢା ବାହାରେ ରହି ସୀମିତ ସଂଖ୍ୟକ ଶ୍ରଦ୍ଦାଳୁ ମାଙ୍କ ଦର୍ଶନ କରିବେ ବୋଲି କୁହାଯାଇଛି। ସେହିପରି ମନ୍ଦିର ପରିସରରେ ଭକ୍ତମାନଙ୍କୁ ନଡିଆ ଭୋଗ ଦେବାକୁ ବାରଣ କରାଯାଇଥିବା ବେଳେ ମା’ଙ୍କ ପାଦୁକ ମଣ୍ଡପରେ ନଡିଆ ଭୋଗ ଦେଇପାରିବେ ବୋଲି କୁହାଯାଇଛି।

ସେହିପରି ସପ୍ତାହର ପ୍ରତି ମଙ୍ଗଳବାର, ବୁଧବାର ଓ ରବିବାର ଦିନ ଶ୍ରଦ୍ଦାଳୁଙ୍କ ସମାଗମ ଅଧିକ ହେଉଥିବାରୁ ମନ୍ଦିର ପରିଚାଳନା କମିଟି ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିବା ପରେ ଆଜି ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ପରିସରକୁ ସାନିଟାଇଜ୍ କରାଯାଇଛି। ସେହିପରି ଜିଲ୍ଲାର ସମସ୍ତ ଧର୍ମପୀଠରେ ୫୦ ପ୍ରତିଶତ ଶ୍ରଦ୍ଦାଳୁ ଦର୍ଶନ କିମ୍ବା ପ୍ରାର୍ଥନାରେ ଭାଗ ନେଇପାରିବେ ବୋଲି କୁହାଯାଇଛି। ଧର୍ମାନୁଷ୍ଠାନକୁ ପ୍ରବେଶ କରିବା ପୂର୍ବରୁ କରୋନା ଟିକା ସାର୍ଟିଫିକେଟ୍, ଆଧାର କାର୍ଡ କିମ୍ବା କରୋନା ରିପୋର୍ଟ ଦାଖଲ କରିବାକୁ ବାଧ୍ୟ ବୋଲି କୁହାଯାଇଛି। ଅନ୍ୟପଟେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନରେ ୬୫ ବର୍ଷରୁ ଊର୍ଦ୍ଧ୍ୱ, ୧୦ ବର୍ଷରୁ କମ୍ ଓ ଗର୍ଭବତୀଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। କରୋନା ନିର୍ଦ୍ଦେଶନାମାକୁ ଖିଲାଫ କଲେ ସଂପୃକ୍ତ ପରିଚାଳନା କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡା ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।