ତେଲେଙ୍ଗାନା ପୁଲିସ ଦ୍ୱାରା ୮ ଜଣ ନାବାଳକ ଓ ନାବାଳିକା ଉଦ୍ଧାର

ରାୟଗଡା,ଏନ୍ଏନ୍ଏସ୍: ପୁଣି ଶ୍ରମ ବିଭାଗର ବିଫଳତା ପଦାକୁ ଆସିଛି। ତେଲେଙ୍ଗାନା ପୁଲିସ ଦ୍ଵାରା ୮ ଜଣ ନାବାଳକ ଓ ନାବାଳିକା ଉଦ୍ଧାର ପରେ ଗୁମର ଖୋଲିଛି ଜିଲ୍ଲା ଶ୍ରମ ବିଭାଗର। ତେଲେଙ୍ଗାନା ରାଜ୍ୟରେ ଚାଲିଛି ଅପରେସନ ମୁସ୍କାନ କାର୍ଯ୍ୟକ୍ରମ। ବିଭିନ୍ନ ସୂତ୍ରରୁ ଖବରପାଇ ତେଲେଙ୍ଗାନା ରାଜ୍ୟର ସୁରିୟାପେଟା ଜିଲ୍ଲା ସଦର ମହକୁମା ଠାରେ ଏକ ସିମେଣ୍ଟ କାରଖାନାରେ କାମ କରୁଥିବା ବେଳେ ୮ ଜଣ ନାବାଳକ ଏବଂ ନାବାଳିକାଙ୍କୁ ଉଦ୍ଧାର କରିଛି ତେଲେଙ୍ଗାନା ପୁଲିସ। ଏମାନେ ସମସ୍ତେ ୧୫ରୁ ୧୭ ବୟସ ମଧ୍ୟରେ ହୋଇଥିବା ବେଳେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀ ନଗର ଗ୍ରାମର ୭ ଜଣ ନାବାଳକ ଓ ନାବାଳିକା ରହିଥିବା ବେଳେ ଜଣଙ୍କର ଘର କାଶୀପୁର ବ୍ଲକରେ ବୋଲି ଜଣାପଡ଼ିଛି।

ସମସ୍ତ ଶିଶୁ ଶ୍ରମିକଙ୍କୁ ତେଲେଙ୍ଗାନା ପୁଲିସ ଗତ ମାସ ୨୯ ତାରିଖରେ ଦିନ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନଙ୍କୁ ଏକ ସୁରିୟାପେଟା ଜିଲ୍ଲା ସଦର ମହକୁମାର ଏକ ସ୍ୱଧାର ଗୃହରେ ରଖାଯାଇଥିଲା। ଆଜି ସକାଳୁ ସୁରିୟାପେଟା ସହରରୁ ତେଲେଙ୍ଗାନା ପୁଲିସ ଆଣି ରାୟଗଡା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟି କାଉନସେଲିଂ କରି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ସାରା ଦେଶରେ ଏବେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅପରେସନ ମୁସ୍କାନ ଜାରି ରହିଥିବା ବେଳେ ଆମ ରାଜ୍ୟ ତଥା ଆମ ଜିଲ୍ଲାରେ ଏହାର କାର୍ଯ୍ୟକାରିତା ସୁନ କହିଲେ ଅତ୍ୟୁକ୍ତି ହେବନାହିଁ।