ବନ୍ଧାହେଲେ ଅତିରିକ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ, ହାତେଇଥିଲେ ୬.୪୩ କୋଟିର ସମ୍ପତ୍ତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସରକାରୀ ପଦର ଫାଇଦା ଉଠାଇ କୋଟିପତି ହୋଇଯାଇଥିଲେ। କଲ୍ୟାଣ ମଣ୍ଡପ ଠାରୁ ଆରମ୍ଭ କରି ଫାର୍ମହାଉସ ସବୁ ନିର୍ମାଣ କରିଥିଲେ। ଚୋର ଘର ସବୁଦିନ ଅନ୍ଧାର ନୁହେଁ ଭଳି ଶେଷରେ ଧରାପଡ଼ିଗଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କର ସମୁଦାୟ ୬କୋଟି ୪୩ଲକ୍ଷ ୮୪ହଜାର ୮୬୨ଟଙ୍କାର ବେଆଇନ ସମ୍ପତ୍ତି ବାହାରିଛି। ଯାହା ତାଙ୍କର ଆୟ ଠାରୁ ୫୭୦ପ୍ରତିଶତ ଅଧିକା। ଜଣେ ଯୋଗାଣ ଅଧିକାରୀଙ୍କ ଏତେ ପରିମାଣର ସମ୍ପତି ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି। ଏନେଇ ଭିଜିଲାନ୍ସ କଟକ କେସ୍ ନଂ ୯/୨୨ରେ ରତ୍ନାକରଙ୍କ ସମେତ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରତ୍ନାକରଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କୁ ପତ୍ନୀଙ୍କୁ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାର ଅତିରିକ୍ତ ସହକାରୀ ଯୋଗାଣ ବିଭାଗ ଅଧିକାରୀ (ଏସିଏସ୍‌ଓ)ରତ୍ନାକର କାର୍ଯ୍ୟ କରନ୍ତି। ସେ ଅନେକ ଲାଞ୍ଚ ଓ ଦୁର୍ନୀତିରେ ଜଡ଼ିତ ଥିବା ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ପରେ ତାଙ୍କ ନାଁରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଏକ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲେ। ଏହି ୱାରେଣ୍ଟ ବଳରେ ବୁଧବାର ସକାଳେ କଟକ ଓ ନୂଆପଡ଼ା ସମେତ ୬ଟି ସ୍ଥାନରେ ଏକକାଳିନ ୬ଟି ଟିମ୍ ଚଢ଼ଉ କରିଥିଲେ। ପରେ ତାଙ୍କର ସମୁଦାୟ ୬କୋଟି ୭୩ଲକ୍ଷର ସମ୍ପତ୍ତି ଠାବ ହୋଇଥିଲା।

ସେଥିମଧ୍ୟରୁ କଟକ ଚାଉଳିଆଗଞ୍ଜରେ ୨କୋଟି ୧୨ଲକ୍ଷ ୨୫ ହଜାର ମୂଲ୍ୟର ୪ମହଲା କୋଠା, ମଧୁପାଟଣା ଥାନା ଅନ୍ତର୍ଗତ ବାଲିସାହିସ୍ଥିତ ଦୁଇମହଲା ବାସଭବନ, ବାଲିସାହି ଅଞ୍ଚଳରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣମଣ୍ଡପ, ୧କୋଟି ୧୭ଲକ୍ଷ ୫୪ହଜାର ୮୨୮ଟଙ୍କାର ଜୀବନ ବୀମା, କଟକ ଜିଲ୍ଲା ଗୁରୁଡ଼ିଝାଟିଆରେ ୩ ଏକର ଜମିରେ ନିର୍ମିତ ଫାର୍ମହାଉସ, କଟକ ଚାଉଳିଆଗଞ୍ଜ ଓ ବାଲିସାହିରେ ୪ଟି ପ୍ଲଟ୍‌, ବିଭିନ୍ନ ବ୍ୟାଙ୍କରେ ରତ୍ନାକର ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୮୯ଲକ୍ଷ ୨୪ହଜାର ୮୧ଟଙ୍କାର ବ୍ୟାଙ୍କ ଜମା, ୨୦ଲକ୍ଷ ୯୪ହଜାର ଟଙ୍କାର ୫୦୦ଗ୍ରାମର ସୁନାଗହଣା ଓ ଅଢ଼େଇକିଲୋ ରୂପାଗହଣା, ୧୬ଲକ୍ଷ ଟଙ୍କାର ଘରର ଆସବାବପତ୍ର, ୩ଟି ଦୁଇଚକିଆ ଯାନ ରହିଛି। ଭିଜିଲାନ୍ସ ଟିମ୍ କଟକର ୩ଟି ସ୍ଥାନ, ଚୌଦ୍ୱାରରେ ଗୋଟିଏ ଓ ନୂଆପଡ଼ାର ୨ଟି ସ୍ଥାନରେ ଚଢ଼ଉ କରିଥିଲେ। ଏଥିରେ ୬ଜଣ ଡିଏସ୍‌ପି,୧୨ଜଣ ଇନ୍ସିପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।