ଦେବଗଡ଼,ଏନ୍ଏନ୍ଏସ୍: ସୁନା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ଫେରାର ମାରୁଥିବା ସମୟରେ ଅଭିଯୁକ୍ତକୁ ଦେବଗଡ଼ ଥାନା ପୁଲିସ କାବୁ କରିଛି । ଅଭିଯୁକ୍ତ ଜଣକ ହେଲେ ମୁକୁଳ ଅନିଲ ସନ୍ତୋଷ ଦାସ । ମିଳିଥିବା ରିପୋର୍ଟ ମୁତାବକ, ମୁମ୍ବାଇର ସୁନା ବ୍ୟବସାୟୀ ନିର୍ମଳ ସି ଗତକାଲି ବିଳମ୍ବିତ ରାତିରେ ନିଜ ଏକ୍ସୟୁଭ ଗାଡ଼ିିରେ ମୁମ୍ବାଇରୁ କୋଲକାତା ଯାଉଥିଲେ । ଡ୍ରାଇଭର ତଥା ଅଭିଯୁକ୍ତ ମୁକୁଳ ମଧ୍ୟ ବ୍ୟବସାୟୀଙ୍କ ସାଥୀରେ ଥିଲେ । ଏହି ସମୟରେ ଦେବଗଡ଼ ଥାନା ଅନ୍ତର୍ଗତ କୈଳାସ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢ଼ାବାରେ ଡ୍ରାଇଭର ମୁକୁଳଙ୍କ ସହ ନିର୍ମଳ ବିଶ୍ରାମ ନେଇଥିଲେ । ବ୍ୟବସାୟୀ ନିର୍ମଳ ଶୋଇ ପଡ଼ିବା ପରେ ଡ୍ରାଇଭର ଅନିଲ ଗାଡ଼ିରେ ଥିବା ନଗଦ ୭ଲକ୍ଷ ୧୦ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲା । ନିର୍ମଳ ନିଦରୁ ଉଠିବା ପରେ ଚାଳକଙ୍କୁ ପାଇନଥିଲେ । ଅନ୍ୟପଟେ ଗାଡ଼ିରେ ଥିବା ଟଙ୍କା ମଧ୍ୟ ଗାୟବ ହୋଇଥିବା ଜାଣି ନିର୍ମଳ ସକାଳୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଡ୍ରାଇଭର ଏକ ଘରୋଇ ବସଯୋଗେ ଫେରାର ହେଉଥିବା ବେଳେ ଟ୍ରାକ କରି ବଡ଼କୁଦର ଟୋଲଗେଟ ନିକଟରୁ ଗିରଫ କରିଥିଲା । ଏଥିସହିତ ଅଭିଯୁକ୍ତ ନିକଟରୁ ନଗଦ ୭ଲକ୍ଷ ୧୦ ହଜାର ଟଙ୍କା ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଆଜି ଅଭିଯୁକ୍ତ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।