ଭୁବନେଶ୍ବର,ଏନ୍ଏନ୍ଏସ୍: କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ। ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ସ୍ଥଳ ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା। ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବ। ଏହି ବିକାଶ କାମ ଏକ ବର୍ଷରେ ଶେଷ ହେବ। ୫-ଟି ଉପକ୍ରମ ଅଧୀନରେ ଏହି କାର୍ଯ୍ୟ କରାଯିବ।କଟକ ସହରର ସାମଗ୍ରିକ ବିକାଶରେ ଚଣ୍ଡୀ ମନ୍ଦିରର କୟାକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏ ଦିଗରେ କଟକବାସୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି।
ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଯୋଜନା ଵିଷୟରେ ଏକ ପ୍ରେଜେଣ୍ଟେସନ୍ ଦିଆଯାଇଥିଲା। ଓବିସିସିସ ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ। ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରି ଗୋଟି ଦ୍ବାର ନିର୍ମାଣ କରାଯିବ। ଏହାସହିତ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ମଧ୍ୟ ନିର୍ମାଣ କରାଯିବ। ମନ୍ଦିର ପରିସରରେ ଖଣ୍ଡାଲାଇଟସ୍ ପଥର ବିଛାଯିବା ସହିତ ଆଲୋକୀକରଣ କରାଯିବ ଏବଂ ସିସିଟିଭି ମଧ୍ୟ ଲଗାଯିବ। ବାଟମଙ୍ଗଳା ମନ୍ଦିର ମଧ୍ୟ ପୁନଃ ନିର୍ମାଣ କରାଯିବ।
ଯାତ୍ରୀମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମାଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ କଣ୍ଟ୍ରୋଲ ରୁମ୍, କ୍ଲୋକ୍ ରୁମ୍, ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ଆଦି ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ। ଏହାସହିତ ଯାତ୍ରୀମାନଙ୍କ ରହିବା ପାଇଁ ଯାତ୍ରୀ ନିବାସ। ବିସ୍ଥାପିତ ଦୋକାନୀମାନଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ। ପାର୍କିଂ ସହିତ ଖୋଲାସ୍ଥାନ ଓ ଲ୍ୟାଣ୍ଡସ୍କେପିଙ୍ଗ ମଧ୍ୟ ବିକାଶ କରାଯିବ।