ନାବାଳିକାଙ୍କୁ ଅପହରଣ ସହିତ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଜଣେ ୧୬ ବର୍ଷୀୟ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ବେଲପାହାଡ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ବରଗଡ଼ ଜିଲ୍ଲା କଣ୍ଟାପାଲିର କାମେଶ ଛତର(୨୪)ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଗତ ୧୬ ତାରିଖ ଦିନ ବେଲପାହାଡ଼ ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳିକାଙ୍କ ନିଖୋଜକୁ ନେଇ ତାଙ୍କ ପରିବାର ଲୋକେ ବେଲପାହାଡ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ବେଲପାହାଡ଼ ପୁଲିସ କେସ ନମ୍ବର ୧୯୫/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ନାବାଳିକା ଜଣକ ବରଗଡରେ ଥିବା ଖବରପାଇ ପୁଲିସ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହାସହ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୁକ୍ତ କାମେଶ ଛତର (୨୪)ଙ୍କୁ ପକ୍ସୋ ଆକ୍ଟ ଆଧାରରେ ଗିରଫ କରି କୋର୍ଟ ଚାଲାଣ କରିଛି। ସେଠାରେ କୋର୍ଟ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।