୨୬୧ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଜୟପୁର,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ୍ ଦ୍ୱାରା ଏକ କାରରୁ ୨୬ ଲକ୍ଷ ୧୦ ହଜାର ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏଥିସହ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣକୁ ଗିରଫ କରାଯାଇଛି। ଲମତାପୁଟ ଆଡୁ ଜୟପୁରକୁ ଆସୁଥିବା ଡବ୍ଲ୍ୟୁବି-୦୬ଏ-୭୪୭୦ ନମ୍ବର ଥିବା ଏକ କାରରେ କଲିକତାକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁଡ ସୂଚନା ପାଇଥିଲେ। ସୂଚନାକୁ ଆଧାର କରି ଓଆଇସିଙ୍କ ନିର୍ଦ୍ଦେଶରେ ସବ-ଇନସପେକ୍ଟର ଏସ୍. ପଣ୍ଡା ଏବଂ ଅନ୍ୟ ପୁଲିସ କର୍ମଚାରୀ ୨୬ ନଂ ଜାତୀୟ ରାଜପଥର ମେଡିକାଲ ଛକରେ କାରକୁ ଅପେକ୍ଷା କରିଥିଲେ।

କାର ପହଞ୍ଚିବା ପରେ ଚେକିଂ କରି ସେଥିରୁ ୨୬୧ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ। ଘଟଣାସ୍ଥଳରୁ ପୁଲିସ କାର ଡ୍ରାଇଭର ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗ ମୁରସିଦାବାଦ ଜିଲ୍ଲା ଦମକାଲ୍ ଥାନା ନିଲମ୍ବରପାରାର ଜାହାଙ୍ଗୀର୍ ଶେକ୍(୨୫) ଓ ଦମଦମ୍ ଜିଲ୍ଲା କତକାତା କେଣ୍ଟନମେଣ୍ଟ ଥାନା କେ.ଏମ୍.ଡି ରୋଡର ସୂମନ୍ ଦାଶ(୨୬)। ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ୨ଟି ମୋବାଇଲ୍ ଫୋନ୍ ସହ ଗୋଟିଏ କାର ଜବତ କରିଛି।