୧୧ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା, ଉପକୃତ ହେବେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୂଜା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ପାଇଁ ୧୧ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହି ଘୋଷଣା ଫଳରେ ରାଜ୍ୟର ୪ ଲକ୍ଷ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନ୍ ଭୋଗୀ ଉପକୃତ ହେବେ।

ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବୃଦ୍ଧି ହୋଇ ୨୮ ପ୍ରତିଶତରେ ପହଞ୍ଚିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜୁଲାଇରୁ ପିଛିଲା ଭାବରେ ୧୧ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁ ହେବ ଓ ଏହା ଅକ୍ଟୋବରରୁ ମିଳିବ। ବକେୟା ୩ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ନଗଦ ଆକାରରେ ମିଳିବ।