ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡକୁ ବଡ଼ ସଫଳତା ମିଳିଛି। ପୁଲିସ ଉପରକୁ ଗୁଳି ଚଲାଇବାକୁ ଉଦ୍ୟମ କରି ଜଣେ ଗଞ୍ଜେଇ ବେପାରୀ ଗିରଫ ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ରିଆମାଳ ଥାନା ଅନ୍ତର୍ଗତ କଂସର-ଚଟି ବରଘାଟ ରାସ୍ତାଦେଇ ବୌଦ୍ଧରୁ ଦେବଗଡ଼କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ରିଆମାଳ ଥାନା ପୁଲିସ ଉକ୍ତ ଅଞ୍ଚଳରେ ଛକି ରହିଥିଲା। ଆଜି ସକାଳ ପ୍ରାୟ ୬ଟା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ବିକାଶ ରାଜହଂସ, ପୌଲସ୍ତି ଜଗଦଳା ଓ ସମ୍ବଲପୁରର ରୂପେଶ ପ୍ରସାଦ ନାମକ ୩ଜଣ ଯୁବକ ଏକ କାର ଓ ଏକ ବାଇକ ଯୋଗେ ଆଗପଛ ହୋଇ ଆସି ଗୋହିରା ଡ୍ୟାମ ରାସ୍ତାରେ ଥିବା ନିଛାଟିଆ ରାସ୍ତାରେ କାର ମଧ୍ୟରେ ନେଇ ଯାଉଥିବା ଗଞ୍ଜେଇକୁ ବାହାର କରି ବାଇକ ସାହାଯ୍ୟରେ ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରୁଥଲେ। ଏହି ସମୟରେ ରିଆମାଳ ଥାନା ପୁଲିସ ଚଢ଼ଉ କରି ବାଇକ ସହ ୩ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ମାତ୍ର ପୁଲିସକୁ ଦେଖି ରୂପେଶ କାରରେ ଫେରାର ହୋଇ ଯାଉଥିବାବେଳେ ରିଆମାଳ ଥାନା ପୁଲିସ ତିଳେଇବଣି ଅଞ୍ଚଳରେ ପୂର୍ବରୁ ରହିଥିବା ସ୍ପେଶାଲ ସ୍କ୍ୱାର୍ଡକୁ ସୂଚନା ଦେଇଥିଲେ। ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଅଭିଯୁକ୍ତଙ୍କ ଗାଡ଼ିକୁ ଦେଓଝରଣ ରାସ୍ତାରେ ଅଟକାଇବାକୁ ଉଦ୍ୟମ କରିବାରୁ ରୂପେଶ ପୁଲିସ ଉପରକୁ ଗୁଳି ଚଲାଇ ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲା। କିନ୍ତୁ ସ୍ପେଶାଲ ସ୍କ୍ୱାର୍ଡ ତାକୁ ଅଟକାଇବାରେ ସକ୍ଷମ ହୋଇଥିଲା। ସେଠାରେ ଯାଞ୍ଚ ବେଳେ ଗାଡ଼ି ମଧ୍ୟରୁ ଗୋଟିଏ ମାଉଜର ଓ ୭ ରାଉଣ୍ଡ ଗୁଳି ଜବତ କରିଥିଲେ। ଥାନାକୁ ଆଣି ପଚରାଉଚୁରା ପରେ ସେମାନେ ଗଞ୍ଜେଇ ବେପାରୀ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏନେଇ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଓ ଆର୍ମସ ଆକ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି।