ଅଟୋ-ବୁଲେଟ୍ ମୁହାଁମୁହିଁ, ଜଣେ ମୃତ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ସୁବାଇ କନ୍ୟାଶ୍ରମ ନିକଟରେ ଏକ ଅଟୋରିକ୍ସା ଓ ବୁଲେଟ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଅଟୋ ଚାଳକ ଗୁପ୍ତେଶ୍ୱର ମାଝୀ(୪୫)ଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,ନନ୍ଦପୁର ଥାନା ହାଣ୍ଡିଗୁଡ଼ା ଗ୍ରାମର ଗୁପ୍ତେଶ୍ୱର ମାଆଙ୍କୁ ଚିକିତ୍ସା ପାଇଁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନେଉଥିବାବେଳେ ସୁବାଇ କନ୍ୟାଶ୍ରମ ନିକଟରେ ନନ୍ଦପୁର ଥାନାରେ କାର୍ଯ୍ୟରତ ଏଏସଆଇ ହରି ସେଠୀଙ୍କ ବୁଲେଟ୍ ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ଅଟୋଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ଫଳରେ ଗୁପ୍ତେଶ୍ୱର ପ୍ରାଣ ହରାଇ ଥିବାବେଳେ ଏଏସଆଇ ସାମାନ୍ୟ ଆହତ ହୋଇଥିଲେ। ହାଣ୍ଡିପୁଟ ଗ୍ରାମବାସୀ ନନ୍ଦପୁର ଥାନାକୁ ଯାଇ ମୃତ ଗୁପ୍ତେଶ୍ୱରଙ୍କ ପରିବାରକୁ କ୍ଷତି ପୂରଣଦେବାକୁ ଦାବି କରିଥିଲେ। ସେମିଲିଗୁଡା ତହସିଲଦାର ନନ୍ଦପୁର ଥାନାକୁ ଯାଇ ମୃତକ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ନନ୍ଦପୁର ପୁଲିସ୍ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକକୁ ହସ୍ତାନ୍ତର କରିଛି।