ବଲାଙ୍ଗିରର ୩ଟି ପୃଥକ ସ୍ଥାନରେ ଦୁର୍ଘଟଣା

ସଇଁତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅଞ୍ଚଳର ୩ଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଥିବା ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଜି ସଇଁତଳାର ବାଇକ ସୋ’ରୁମ ନିକଟରେ ଏକ କାର ନିମ୍ବ ଗଛକୁ ଧକ୍କା ଦେଇଛି। ଫଳରେ ଗାଡ଼ି ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମହିଳା ଜଣଙ୍କ ଗୁରୁତର ହୋଇଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପଟେ କାରଟି ସାମ୍ନା ପଟୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି।

ସେହିପରି ସଇଁତଳା କେରମେଲି ଛକଠାରେ ଏକ ଟ୍ରକ୍ ମହୁଲ ଗଛକୁ ଧକ୍କା ଦେଇଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସଇଁତଳା ଥାନା ମହାଗାଁ ଛକ ନିକଟରେ ମାଛ ବୋଝେଇ ପିକଅପ ଭ୍ୟାନ୍ ଏକ ନିମ୍ବ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ଭୋର ୫ଟା ସମୟରେ କେସିଙ୍ଗାରୁ ବଲାଙ୍ଗିର (କୁରୁଲ) ଅଭିମୁଖେ ଯାଉଥିବା ପିକଅପ ଭ୍ୟାନ ୨୬ନଂ ଜାତୀୟ ରାଜପଥ ମହଗାଁ ଛକଠାରେ ଥିବା ଏକ ନିମ୍ବ ଗଛକୁ ଧକ୍କା ଦେଇଥିଲା। ଫଳରେ ମାଛ ବୋଝେଇ ଗାଡି଼ଟିି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ସଇଁତଳା ପୁଲିସ ଘଟଣାସ୍ଥଳରେ ପହଂଚି ଆହତ ଡ୍ରାଇଭରଙ୍କୁ ସଇଁତଳା ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ସୁଯୋଗ ନେଇ ସ୍ଥାନୀୟ ଲୋକେ ଗାଡ଼ିରୁ ମାଛ ନେଇଯାଇଥିବା ଜଣାପଡ଼ିଛି। ତେବେ ଗତ କିଛିଦିନ ହେବ ୨୬ନଂ ଜାତୀୟ ରାଜପଥ ମରାମତି ହେବା ସତ୍ତେ୍ୱ ଏହି ରାସ୍ତାରେ ହମ୍ପସ ନଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।