ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ଗାଡ଼ି, ୯ ଆହତ ଓ ଜଣେ ମୃତ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଘଝରନ୍ ଗ୍ରାମରେ ନାଚ ଗୀତରେ ମସଗୁଲ ଥିବା ବରଯାତ୍ରୀଙ୍କୁ ବର ଗାଡ଼ି ମାଡ଼ିଯାଇଥିବା ନେଇ ସୂଚନା ମିଳିଛି । ଫଳରେ ୯ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ରିପୋର୍ଟ ମୁତାବକ, ଶୁକ୍ରବାର ରାତିରେ ବାଘଝରନ୍ ଗ୍ରାମର ହୋତାସନ ବରିହା ଘରୁ ବାହାରି ଗ୍ରାମଦେବୀଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ । ଏହି ସମୟରେ ବରଯାତ୍ରୀ ବାଣ ଫୁଟାଇ ଡିଜେର ତାଳେ ତାଳେ ନାଚୁଥିବାବେଳେ ହଠାତ ବର ଗାଡ଼ି ଦ୍ରୁତ ଗତିରେ ବରଯାତ୍ରୀଙ୍କ ଉପରକୁ ମାଡ଼ି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ପ୍ରାୟ ୧୦ଜଣଙ୍କ ଉପରକୁ ଗାଡ଼ି ମାଡ଼ିଯାଇ ଡିଜେ ଗାଡ଼ିରେ ଧକ୍କା ହୋଇଥିଲା । ୧୦ଜଣ ଆହତଙ୍କୁ ଖପ୍ରାଖୋଲ ଡାକ୍ତରଖାନାକୁ ନିଆ ଯାଇଥିବାବେଳେ ୫୨ ବର୍ଷୀୟ ରାଜ ବରିହାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟମାନଙ୍କୁ ପ୍ରଥମେ ପାଟଣାଗଡ ଡାକ୍ତରଖାନା ଓ ପରେ ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ବର କାରର ଡ୍ରାଇଭର ଦର୍ଯ୍ୟୋଧନ ନାଗଙ୍କୁ ଗ୍ରମବାସୀମାନେ ନିଶାସକ୍ତ ଅବସ୍ଥାରେ କାବୁ କରି ପୁଲିସକୁ ଜିମା ଦେଇଥିଲେ । ପୁଲିସ କାର ଜବତ କରିବା ସହ ଘଟଣା ଉପରେ ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।