ଜିଲ୍ଲାର ୨୫ଟି କଲେଜରେ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କୁ ତାଲିମ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ମହାବିଦ୍ୟାଳୟରେ ଦୀର୍ଘ ୩ ଦିନ ଧରି ଯୁବ ରେଡକ୍ରସ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଜାତୀୟସ୍ତରୀୟ ଫାଷ୍ଟ ଏଡ୍ ସମ୍ବଳ ପ୍ରଶିକ୍ଷକ ରଞ୍ଜନ କୁମାର ସ୍ୱାଇଁ ଦ୍ୱିତୀୟ ଦିନରେ ଦୀର୍ଘ ସମୟ ଧରି ସ୍ୱେଛାସେବୀଙ୍କୁ ପ୍ରାଥମିକ ଚିକିତ୍ସା ଓ ତାର ଉପାଦେୟତା ଉପରେ ବୁଝାଇବା ସହ ଆଗାମୀ ଦିନରେ ଆପଦକାଳୀନ ପରିସ୍ଥିତିରେ ସହାୟତା କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିବାକୁ ସ୍ୱେଛାସେବୀଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ୨୫ଟି ମହାବିଦ୍ୟାଳୟରୁ ୧୦୦ଜଣ ସ୍ୱେଛାସେବୀଙ୍କ ସହ ରେଡକ୍ରସ କାଉନସିଲର ଓ ଅଧ୍ୟକ୍ଷମାନେ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ଏହି ୩ ଦିନରେ ବହୁ ଅତିଥି ଓ ସମ୍ବଳ ପ୍ରଶିକ୍ଷକମାନେ ସ୍ୱେଛାସେବୀଙ୍କୁ ଅନେକ କ୍ଷେତ୍ର ଉପରେ ଦିଗଦର୍ଶନ ପ୍ରଦାନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଶେଷ ଦିନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱେଛାସେବୀଙ୍କୁ ଶିବିରରେ ଶିଖିଥିବା ସମସ୍ତ ବିଷୟକୁ ବାସ୍ତବ ଜୀବନରେ ସଠିକ୍ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ରେଡକ୍ରସର ଆଜୀବନ ସଭ୍ୟ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥିଭାବରେ ଯୋଗଦେଇ ଜିଲ୍ଲା ରେଡକ୍ରସର ବିଭିନ୍ନ ଜନହିତକର କାର୍ଯ୍ୟ ସହ ସମାଜକୁ ବିକଶିତ କରୁଥିବା ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ରେଡକ୍ରସର ଇତିହାସ ଓ ବର୍ତ୍ତମାନର ସ୍ଥିତି ସହ ଶିକ୍ଷା ଜିଲ୍ଲାରେ ରେଡକ୍ରସର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ଯୁବ ରେଡକ୍ରସ ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଂଯୋଜକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ଓ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ପରିଚାଳନା କରିଥିଲେ । କାଉନସିଲର ରଜନୀ ମିଞ୍ଜ, ନିର୍ମଳା ହିକ୍କା, ଜାହାଙ୍ଗୀର ମହମ୍ମଦ, ଅଶ୍ୱିନୀ ବେହେରାଙ୍କ ସହଯୋଗରେ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ ।