ପିକନିକ୍ ଗାଡି ଓ ଟ୍ରକ୍ ମୁହାଁମୁହିଁ ଧକ୍କା: ୧୦ ଗୁରୁତର

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଥାନା ବାଲିପସି ଗ୍ରାମଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ ପିକନିକ୍ ପାର୍ଟି ଗାଡି ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାଫଳରେ ୧୦ ଜଣ ଗୁରୁତର ହୋଇଛନ୍ତି। ଏଥିରୁ ସଂକଟାପନ୍ନ ଅବସ୍ଥାରେ ଥିବା ୩ ଜଣଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଝାରସୁଗୁଡା ଭୂଷଣ କମ୍ପାନୀରେ କାର୍ଯ୍ୟ କରୁଥିବା ୯ ଜଣ କର୍ମଚାରୀ ଆଜି ବଣଭୋଜି ପାଇଁ ଏକ ଗାଡିରେ ଦେବଗଡ଼ ପ୍ରଧାନପାଟକୁ ଆସି ସନ୍ଧ୍ୟାରେ ଝାରସୁଗୁଡା ଫେରୁଥିଲେ। ସହରଠାରୁ ୬ କିମି ଦୂର ବାଲିପସି ଗ୍ରାମ ନିକଟରେ ଏକ ମାଲ ବୋଝଇ ଟ୍ରକ୍ ସହ ଧକ୍କା ହୋଇଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତ ୧୦ ଜଣ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ସ୍ଥାନୀୟଲୋକେ ପୁଲିସ ଓ ଦମକଳ ବାହିନୀକୁ ସୂଚନା ଦେବାପରେ ଦମକଳ ବାହିନୀ କର୍ମଚାରୀ, ପୁଲିସ ଓ ସ୍ଥାନୀୟଲୋକେ ଗାଡି ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଗୁରୁତରମାନେ ସମସ୍ତେ ଭୂଷଣ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଯୋଗେନ୍ଦ୍ର କୁମାର, ସନ୍ନୀ ପାଣ୍ଡେ, କ୍ରିଷ୍ଣା କୁମାର, ବାବୁଲାଲ ଚନ୍ଦ୍ର ବଂଶୀ, ରାଜେଶ କୁମାର, ସଂଯୋଗ କୁମାର, ଓ ଲକ୍ଷ୍ମଣ କୁମାର ବୋଲି ଜଣାପଡିଛି। ଦେବଗଡ଼ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।