ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ଦାବି କଲା ଏବିଭିପି

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ଭୀମଭୋଇ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ ଶୁକ୍ରବାର ହୋଇଥିଲା । ଆଜି ଉକ୍ତ ଛାତ୍ରଙ୍କ ପରିବାରବର୍ଗ କଲେଜରେ ପହଂଚି ଘଟଣା ଉପରେ ଦୃଢ଼ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛି ।

ଏବିଭିପି ଆହୁରି କହିଛି ଯେ, ଭୀମଭୋଇ ଭେଷଜ ମହାବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଯେଉଁଭଳି ଭାବରେ ମୃତ୍ୟୁ ଘଟଣା ସମସ୍ତଙ୍କ ସମ୍ମୁଖକୁ ଆସିଲା ତାହା ଅତ୍ୟନ୍ତ ଦୁଃଖଦାୟକ । ମୃତ ଛାତ୍ର ନିଶାନ୍ତ କୁମାର ମୂଳତଃ ହରିୟଣା ନିବାସୀ ଥିଲେ । କେବଳ ଏଇ ଘଟଣା ନୁହଁ କିଛି ମାସ ପୂର୍ବରୁ ସେଭଳି ଜଣେ ଛାତ୍ରୀ ମଧ୍ୟ ଭେଷଜ ମହାବିଦ୍ୟାଳୟର ଛାତ୍ରୀ ହଷ୍ଟେଲରୁ ପ୍ରାଣ ହରାଇଥିଲେ । ବିଗତ ଦିନରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ପରିଲକ୍ଷିତ ହେଉଛି । କିନ୍ତୁ ଯେଉଁଭଳି ଭାବେ ସ୍ୱର୍ଗତ ନିଶାନ୍ତ କୁମାରଙ୍କ ଅଭିଭାବକ ହତ୍ୟା ଅଭିଯୋଗ ଆଣୁଛନ୍ତି ତାହା ଘଟଣାକୁ ଏକ ଭିନ୍ନ ମୋଡ଼ ଦେଉଛି । ଅନ୍ୟପଟେ କଲେଜରେ କୌଣସି ପ୍ରକାରର ର‌୍ୟାଗିଂ କିମ୍ବା ଅନ୍ୟକିଛି ଘଟଣା ଘଟିନାହିଁ ବୋଲି କଲେଜ କର୍ତୃପକ୍ଷ କହୁଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ନିଶାନ୍ତ କୁମାର କେମିତି ପ୍ରାଣ ହରାଇଲେ? ଏହା ହତ୍ୟା ନା ଆତ୍ମହତ୍ୟା? ବାରମ୍ବାର କଲେଜ ଛାତ୍ରଛାତ୍ରୀ କାହିଁକି ପ୍ରାଣ ହରାଉଛନ୍ତି? ତେଣୁ ଉକ୍ତ ଘଟଣାକୁ ଏବିଭିପି ତରଫରୁ ତୀବ୍ର ନିନ୍ଦା କରାଯିବା ସହ ଖୁବଶୀଘ୍ର ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କାଯାଉଛି ।