ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବ୍ରଜରାଜନଗର ଓପିଏମ ଛକରେ ବନ୍ଧୁକ ଧରି ବୁଲୁଥିବା ଜଣେ ଯୁବକକୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହ ତାଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ଗିରଫ ଯୁବକ ଜଣକ ରାଜପୁର ଗ୍ରାମର ମନୋଜ କିଷାନ(୩୪) ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବକ, ଯୁବକ ଜଣକ ଗତ ସୋମବାର ମଧ୍ୟାହ୍ନରେ ଓରିଏଣ୍ଟ ପେପର୍ସ ମିଲ ଖେଳ ପଡ଼ିଆ ନିକଟରେ ଏକ ବନ୍ଧୁକ ଧରି ଅବାଧରେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଅଧିକାରୀ ପି.କେ.ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରି ତାଙ୍କ ନିକଟରୁ ଏକ ବନ୍ଧୁକ ଜବତ କରିଥିଲେ। ଏନେଇ ପୁଲିସ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି। ଏହା ପୂର୍ବରୁ ସମ୍ପୃକ୍ତ ଯୁବକଙ୍କ ନାମରେ ବ୍ରଜରାଜନଗର ଥାନାରେ ୨ଟି ମାମଲା ରହିଥିବା ଆଇଆଇସି ବୈକୁଣ୍ଠ ବିହାରୀ ସେଠ କହିଛନ୍ତି।