ରାମନାଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ଅନ୍ତର୍ଗତ ଚାକୁଣ୍ଡା ନିକଟସ୍ଥ ଜଙ୍ଗଲରେ ଜଣେ ୧୮ବର୍ଷୀୟ ଯୁବକ ଗଛରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ତାମ୍ପରଗୁଡ଼ା ଗ୍ରାମର ଲକ୍ଷ୍ମଣ କଲାକା । ମିଳିଥିବା ରିପୋର୍ଟ ମୁତାବକ, ଲକ୍ଷ୍ମଣ ଗତ ୫ଦିନ ହେବ ନିଖୋଜ ଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଚାକୁଣ୍ଡା ନିକଟ ଜଙ୍ଗଲରେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ ବାକ୍ଷଣି ରାମନାଗୁଡ଼ା ଥାନା ଆଇଆଇସି ସୁନିତା ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ତଦନ୍ତ ଆରମ୍ଭ କରିଛି । ତହସିଲଦାର ନିର୍ମଳ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ୍ ସହାୟତାରେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ପୁଲିସ ତଦନ୍ତ ଜାରି ରହିଛି । ଏନେଇ ରାମନାଗଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ ହୋଇଛି । ମୃତ ଲକ୍ଷ୍ମଣ ଜଣେ ନାବାଳିକାକୁ ନେଇ ଚାଲିଯାଇ ଥିବାବେଳେ ଏହା ପ୍ରେମଜନିତ ବ୍ୟାପାର ବୋଲି ଚର୍ଚ୍ଚା ହେଉଛି । ଶବ ବ୍ୟବଚ୍ଛେଦ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ।