ନବରଙ୍ଗପୁର,ଏନ୍ଏନ୍ଏସ୍:ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ତିଲିମାଲ ଆଦର୍ଶ ବିଦ୍ୟାଳୟର ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୭ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁୁରୁତର ଛାତ୍ରଙ୍କ ମଧ୍ୟରୁ ଜଣକୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟ ଓ ଅନ୍ୟ ୨ଜଣଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି । ଚନ୍ଦାହାଣ୍ଡି ଥାନାରେ ଛାତ୍ରଛାତ୍ରୀଙ୍କ ଅଭିଭାବକ କୌଣସି ଏତଲା ଦେଇନଥିବାରୁ ଚନ୍ଦାହାଣ୍ଡି ଥାନା ହାବିଲଦାର ବିଦ୍ୟୁତ କିରତନିଆ ଏତଲା ଦେଇଥିବା ନେଇ ଚନ୍ଦାହାଣ୍ଡି ଥାନା ଆଇଆଇସି ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଏନେଇ ଚନ୍ଦାହାଣ୍ଡି ଥାନାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଏସଆଇ ଶିବ ପ୍ରସାଦ ମହାନ୍ତି କରୁଛନ୍ତି । ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭର କୃଷ୍ଣ ସାଗରକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା କରୁଛି ।
ମିଳିଥିବା ରିପୋର୍ଟ ମୁତାବକ, ଚନ୍ଦାହାଣ୍ଡି ଆଦର୍ଶ ବିଦ୍ୟାଳୟରେ ବାଳକ ଛାତ୍ରବାସ ନଥିବାରୁ ଅଭିଭାବକ ଉମରକୋଟ ୱାଇ ପୁରୁଷୋତ୍ତମ ନାମକ ରିଆ କଲୋନୀର ବସ ଯୋଗେ ଚନ୍ଦାହାଣ୍ଡିଠାରୁ ତିଲିମାଲ ଆଦର୍ଶ ବିଦ୍ୟାଳୟକୁ ସବୁଦିନ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିଲେ । ବୁଧବାର ସକାଳ ୯ଟା ସମୟରେ ଡ୍ରାଇଭର ବସରେ ଚନ୍ଦାହାଣ୍ଡିରୁ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବାବେଳେ ମୋହରା ବୁଲାଣିରେ ବସର ସ୍ଟେରିଙ୍ଗ ଖରାପ ହେବାରୁ ବସଟି ରାସ୍ତାରେ ଥିବା ଏକ ଗଛରେ ପିଟି ହୋଇଥିଲା । ବସରେ ଥିବା ୧୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଚନ୍ଦାହାଣ୍ଡି ଆଇଆଇସି ଉମେଶ ଚନ୍ଦ୍ର ନାୟକ, ଏସଆଇ ଶିବ ପ୍ରସାଦ ମହାନ୍ତି, ଖଗେଶ୍ୱର ଖୋସଲା ଓ ହାବିଲଦାର ବିଦ୍ୟୁତ କୀର୍ତ୍ତନିଆ ଦୁର୍ଘଟଣାସ୍ଥଳକୁ ଯାଇ ଗାଡ଼ି ଜବତ କରିଛନ୍ତି ।