ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଦେବଗଡ଼,ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନାଞ୍ଚଳର ଜଣେ ୧୬ ବାର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ରିଆମାଳ ଥାନା ପୁଲିସ ଜଣକୁ ଗିରଫ କରିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତ ମଙ୍ଗଳବାର ରିଆମାଳ ଥାନାଞ୍ଚଳରେ ଜଣେ ନାବାଳିକା ଘରେ ଏକୁଟିଆ ଥିବାର ସୁଯୋଗ ନେଇ ବାରକୋଟ ଥାନା ଅନ୍ତର୍ଗତ କଲା ଗ୍ରାମର ତ୍ରିଲୋଚନ ବେହେରାଙ୍କ ପୁଅ ମନୋଜ ବେହେରା (୨୪) ସକାଳ ପ୍ରାୟ ୮ଟା ୩୦ ସମୟରେ ନାବାଳିକାଙ୍କ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏହି କାଣ୍ଡ ଭିଆଇବା ପରେ ମନୋଜ ନାବାଳିକାକୁ ଧମକ ଦେଇ ଚାଲି ଯାଇଥିଲା । ନାବାଳିକା ଜଣକ ଲଜ୍ଜାରେ ଏହି ଘଟଣା ଘରେ କହି ନଥିଲେ। କିନ୍ତୁ ସେଠାରୁ ଚାଲିଯିବା ପରେ ଅଭିଯୁକ୍ତ ମନୋଜ ନାବାଳିକାକୁ ଫୋନ ଯୋଗେ ବିବାହ କରିବା ପାଇଁ ଲକ୍ଷେ ଟଙ୍କା ଦାବି କରିଥିଲା। ନାବାଳିକା ଜଣକ ଏନେଇ ପରିବାର ଲୋକଙ୍କୁ ଜଣାଇବା ପରେ ଗତକାଲି ପରିବାର ଲୋକଙ୍କ ସହ ଥାନାକୁ ଆସି ଅଭିଯୁକ୍ତ ମନୋଜ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରିଆମାଳ ଥାନା ପୁଲିସ ଦୁଷ୍କର୍ମ ଓ ପୋକ୍ସ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆଜି ଅଭିଯୁକ୍ତକୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡ଼ିଛି।