ରାୟଗଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ଧରୁନି। ବିଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାୟଗଡ଼ା ସଦର ମହକୁମାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଆମ୍ବାଗୁଡାରୁ ପୁଲିସ ଏକ ଗଞ୍ଜେଇ ବୋଝେଇ ଟ୍ରକକୁ ଜବତ କରି ଥାନାକୁ ଆଣିଛି।
ସୂଚନା ମୁତାବକ ଗତ ୩ ଦିନ ହେଲା ଆମ୍ବାଗୁଡା ଠାରେ ଏହି ଗାଡି(ଏମ୍ଏଚ୍-୧୯ଜେଡ-୫୩୦୮) ଛିଡ଼ା ହୋଇଥିଲା। ଏନେଇ ପୁଲିସ ସୂଚନା ପାଇ ସାଧା ପୋଷାକରେ ଗାଡି ଉପରେ ନଜର ରଖିଥିଲେ। ତେବେ ପୁଲିସ ସେଠାରେ ଥିବା ସନ୍ଦେହ କରି ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା। ପରେ ପୁଲିସ ଟ୍ରକଟିକୁ ଜବତ କରି ଥାନାକୁ ଆଣିଛି। ଗାଡିରେ ୩୫ ରୁ ୪୦ ବସ୍ତା ଗଞ୍ଜେଇ ଥିବା ଅନୁମାନ ହେଉଥିବା ବେଳେ ଏ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ସେହିପରି ପୁଲିସ ଗାଡି ମାଲିକକୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।